ଶକ୍ତି ନ ପାରିଲୁ କଳି
                   ବି.ନିରୁପମା

ତିନି ପାଦ ଭୂମି ମାଗିଲି ମୁଁ ଯେବେ
ଶକ୍ତି ନ ପାରିଲୁ କଳି ,
ଦୁଇ ପାଦେ ଦେଲୁ ପୃଥିବୀ,ଆକାଶ 
ଆରେ ମହାଦାନୀ ବଳି ।
ଏବେ ହେଉ କିବା ଭାଳି....
କେଉଁଠି ରଖିବି ମୋ ତୃତୀୟ ପାଦ
ସତ୍ୟରୁ କି ଯିବୁ ଟଳି !!

ମହାଦାନୀ ବୋଲି ସାରା ସଂସାରରେ
ଅଭିମାନ ଥିଲା ତୋର ,
ଏଡ଼ିକି ବକଟେ ରୂପ ଦେଖି ମୋର
ସତ୍ୟ କଲୁ ତିନିବାର....
ନୁହେଁ ମୁଁ ବାମନନର ;
ମୋ ଆଡ଼କୁ ଚାହାଁ କରେ ଶଙ୍ଖ ଚକ୍ର 
ଅଟେ ମୁଁ କମଳା ବର ।

ମୋ ରୂପକୁ ଦେଖି ଯୋଡ଼ହସ୍ତ ହୋଇ
ପାତିଲୁଣି ତୋର ମଥା ,
ଏଇଠି ଥୋଇବି ମୋ ତୃତୀୟ ପାଦ 
ଥିବ କାଳେ କାଳେ କଥା....
ଧନ୍ୟ ତୋର ପିତା ମାତା ;
ଚିରଦିନ ତୁହି ପାତାଳରେ ରହି 
ହୁଅ ସେ ଧାମର କର୍ତ୍ତା । 

ସଂସାର ମଧ୍ୟରେ ମହାଦାନୀ ଆଉ 
ସତ୍ୟବାଦୀ ତୁହି ଯେଣୁ ,
ପାତାଳ ପୁରରେ ଦ୍ୱାରପାଳ ହୋଇ 
ରହିବି ମୁଁ ତୋର ତେଣୁ....
ଏକଥା ଦୁନିଆ ଜାଣୁ ;
ବୃଥା ଅହଙ୍କାର ତୁଚ୍ଛ ଭାବ କେହି 
କଦାପି ମନେ ନ ଆଣୁ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।