ମଳୟ ପବନ ବହୁଛି
                    ବି.ନିରୁପମା

ଆମ୍ବ ବଉଳର ବାସନା ବିତରି
ବସନ୍ତ ଋତୁଟି ଆସିଛି ,
ପତ୍ର ଗହଳରେ ପଞ୍ଚମ ତାନରେ
କୋଇଲିଟି କୁହୁ ଗାଉଛି ।
ମଳୟ ପବନ ବହୁଛି,
               ଏ ମନଟି ଥୟ ନୋହୁଛି-
ତୋ ସାଥିରେ ପ୍ରିୟା ନାଚିଯିବା ପାଇଁ
ବାରବାର ଖାଲି କହୁଛି ।(ଘୋଷା)

ଘର ଅଗଣାରେ ମହ ମହ ହୋଇ
ମଧୁମାଳତୀ ଯେ ବାସେ ଲୋ ,
ବରଷକ ଅନ୍ତେ ଦୋଳ ଯାତରାଟି
ଆମରି ଗାଆଁକୁ ଆସେ ଲୋ ।

ବିମାନରେ ବିଜେ ହେବେ ରାଧା କୃଷ୍ଣ
ଦେଖିବାକୁ ମନ ହେଉଛି ।(୧)

ମଳୟ ପବନ ବହୁଛି ,
        ଏ ମନଟି ଥୟ ନୋହୁଛି-
ତୋ ସାଥିରେ ପ୍ରିୟା ନାଚିଯିବା ପାଇଁ
ବାରବାର ଖାଲି କହୁଛି ।
ଆମ୍ବ ବଉଳର ବାସନା ବିତରି
ବସନ୍ତ ଋତୁଟି ଆସିଛି....

ରଙ୍ଗ ପିଚକାରି ହେବା ମରାମରି
ଅବିର ପସରା ହେଇଟି ,
କେତେ ଜାତି ଫୁଲ ଫଳରେ ଏ ଧରା
ହସି ଉଠିଲାଣି ଚହଟି ।

ଯେତେକ ପରବ ଆମରି ଗରବ
ସବୁରି ମନକୁ ମୋହୁଛି ।(୨)
ମଳୟ ପବନ ବହୁଛି ,
        ଏ ମନଟି ଥୟ ନୋହୁଛି-
ତୋ ସାଥିରେ ପ୍ରିୟା ନାଚିଯିବା ପାଇଁ
ବାରବାର ଖାଲି କହୁଛି ।
ଆମ୍ବ ବଉଳର ବାସନା ବିତରି
ବସନ୍ତ ଋତୁଟି ଆସିଛି....

ପତ୍ର ଗହଳରେ ପଞ୍ଚମ ତାନରେ
କୋଇଲିଟି କୁହୁ ଗାଉଛି ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।