ଗାନ୍ଧୀ ହେ ଥରେ ଆସିବ କି ?
ବହୁ କଷ୍ଟରେ ସ୍ବାଧୀନତା ଆଣି
ଦେଇଗଲ ଯେଉଁ ମଣିଷମାନଙ୍କୁ
ସେମାନଙ୍କ ଦଶା ବୁଝିବ କି ?
ସପନର ତୁମ ରାମରାଜ୍ୟର
ସ୍ବରୂପକୁ ଟିକେ ଦେଖିବ କି ?

ଯେଉଁ ଶିକ୍ଷାର ସପନରେ ତୁମେ
ଝୁମୁଥିଲ ସତେ ଏ ଭାରତ ଭୂମେ
ରାମରାଜ୍ୟର ପରିକଳ୍ପନା
ପୂରଣ ହୋଇଛି ଅବା ହେଲା ଚୂନା
ଦେଖିଯାଅ ଥରେ ସାରା ଜୀବନର
ସାଧନା ସଫଳ ହୋଇଛି କି ।
ଗାନ୍ଧୀ ହେ ଟିକେ ଆସିବ କି ?

କାଟି ପିନ୍ଧ, କୁଟି ଖାଅ କହୁଥିଲ
ନିଜେ ସେଇ ନୀତି ଆପଣେଇଥିଲ
ଥିଲାବେଳେ ତୁମ ନୀତିକୁ ଆଦରି
ତୁମେ ଗଲାପରେ କେତେ ଅନୁସରି
ଚଳୁଛନ୍ତି ଏଠି ତୁମ ଅନୁଗତ
ଦେଖି ତୁମ ମନ ବୁଝିବ କି ।
ଗାନ୍ଧୀ ହେ ଥରେ ଆସିବ କି ?

ଦେଖି ଗରିବର ଶୋଷଣ, କଷଣ
କାନ୍ଦୁଥିଲା ଟି ତୁମରି ପରାଣ
ବ୍ରିଟିଶ୍ ବିରୁଦ୍ଧେ ସ୍ବର ଉଠାଇଲ
ଆନ୍ଦୋଳନର ପୁରୋଧା ସାଜିଲ
ଭଦ୍ରମୁଖା ତଳେ ତୁମ ଅନୁଗତେ
କଅଣ କରୁଛି ଦେଖିବ କି ?
ଗାନ୍ଧୀ ହେ ଥରେ ଆସିବ କି ?

ଆମେ ଚଳାଉଛୁ ଏ ଦେଶ ଆମରି
ଆମରି ନାଆର ଆମେ ତ ନାଉରୀ
ଖଦଡ ଧୋତିର ଭଦ୍ର ବେଶରେ
କେମିତି ଲୁଟନ୍ତି ଦୀନ ଅନାହାରେ
ଟଙ୍କା ରଖନ୍ତି ସୁଇସ୍ ବ୍ୟାଙ୍କ୍ ରେ
କେତେ ଟଙ୍କା କେବେ ଗଣିଛ କି
ଗାନ୍ଧୀ ହେ ଥରେ ଆସିବ କି ?

ଗୋମାତା ତୁମର କେମିତି ଆହାର
ନାରୀପରେ ହୁଏ କେତେ ଅତ୍ୟାଚାର
ଶିଶୁକନ୍ୟାର ଯୌନଯାତନା
କେତେ ଯେ ଜୀବନ ହୁଏ ବାଟବଣା
ଏଇମିତି ତୁମ ଜନମ ମାଟିର
ସ୍ବରୂପକୁ କେବେ ଭାବିଥିଲ କି
ଗାନ୍ଧୀ ହେ ଥରେ ଆସିବ କି ?

ରଚନା : ରମେଶ ଚନ୍ଦ୍ର ମିଶ୍ର

ଠିକଣା : ତାପସ କୁଟୀର, ବଇଣ୍ଡା, ଅନୁଗୋଳ । ଫୋନ ନମ୍ବର :