🌹🌹🌹🌹ତୃପ୍ତି ନାୟିକା 🌹🌹🌹
*****************************
ରହ ରହ ଆଗୋ ନବ ହେମଗୋରୀ ,
ଅଧର ଅମୃତ ଦିଅ ମୋ' ସୁନ୍ଦରୀ ।୧।
ତୋତେ ଦେଖି ସଖୀ ତନୁ ମୋ' ଖୋଜଇ,
ପ୍ରୀତି ଦାନ ଦିଅ ଛାତି ଛନକଇ ।୨।
ଚର୍ମ ତଳେ ପ୍ରୀତି ଜୁଆର ଉଠଇ,
ମର୍ମଦେହୀ ଆଗୋ ମୋ' ପରାଣ ସହୀ ।୩।
କେତକୀ ବରନା ହୃଦୟ ଚନ୍ଦନା,
କତିକି ଆସ ଗୋ ନହୋଇ ବିମନା ।୪।
ଅଧରାମୃତ ପାଇ ଶାନ୍ତ ଲଭିବି,
ଗଜରାରେ ତୋ' କେଶ ସଜେଇ ଦେବି ।୫।
ରାଜି ହେଲେ ଗୋରୀ ରତନ ପଲଙ୍କେ ,
ଝୁଲାଇ ରଖିବି କାବା ହେବେ ଲୋକେ ।୬।
ଆସ ଗୋ' ରମଣୀ ମୋ' ସ୍ବର ଶଞ୍ଜିନୀ,
ଚନ୍ଦ୍ରାବତୀ ମୋ'ର ମାନସ ମୋହିନୀ ।୭।
ରସା ତଳେ ଗୋରୀ କରି ରସପାନ,
ଶୃଙ୍ଗାର ଜଳରେ ଲଭି ପ୍ରୀତି ଜ୍ଞାନ ।୮।
ଧରା ପରେ ସରା ଶୋଭା କି ପାଇବ,
ହେମ ପୁଷ୍ପ ବନେ ଶାନ୍ତ ସେ ଲଭିବ ।୯।
କାମ ଶର ଭାରି ଉଲ୍ଲାସେ ବିନ୍ଧଇ ,
ତୃପ୍ତି ଧନୁ ମୁନେ ପୀରତି ସଂଞ୍ଚଇ ।୧୦।
ମର୍ମାହତ ତନୁ ଶୃଙ୍ଖଳରେ ମନୁ,
ନ ପାରଇ ବଞ୍ଚି ତାଙ୍କ ପ୍ରୀତି ଧନୁ ।୧୧।
ମୀନ ନୟନୀ ମୋ' ରାଜହଂସୀ ରାଣୀ
ହୃଦେ ମୃଦୁ ଜଳ ପରଶ ସଜନୀ ।୧୨।
ନିଃସଙ୍ଗ ଅଙ୍ଗରେ ସ୍ପର୍ଶେ ଏ ରଜନୀ
କେଶକୁ ଓଗାଳି ଆସ ମୋ' ଜୀବନୀ ।୧୩।
କର ବେନି ତୋ'ର ସର୍ପ ପରି ଧର,
ଗଣ୍ଡସ୍ଥଳେ ଚୁମ୍ବି କର ତୁ ପ୍ରହାର ।୧୪।
ପୀରତି ମୋହରେ ମୋ' ହିତ ଚିନ୍ତରେ ,
ଦୁଷଣ ତେଜି ତୁ ମୋ' ଅଙ୍କେ ବସରେ ।୧୫।
କଷଣ ଫେଡିଣ କର ତୁ ମିଶାଣ
ତନୁ ଖୋଜେ ତନୁ ହେବାକୁ ଗୁଣନ ।୧୬।
ପ୍ରାଣ ରଣେ ରାଣୀ ଅଶୁ ଅର୍ଦ୍ଧାଙ୍ଗିନୀ,
ରଣକ୍ଷେତ୍ରେ ରଣ କର ମୋ' ମିତଣୀ ।୧୭।
ହୃଦ ତୃପ୍ତିନାଦେ ତୃପ୍ତି ବାରିଭେଦେ ,
ଯଥା ଶକ୍ତି ପଦେ ଆସ ଭାଷି ସ୍ବାଦେ ।୧୮।
ନୀର ପରେ ନୀର ପୟ'ର ଆଧାର ,
ହୃଦୟ ଗହ୍ବରୁ ଝରୁ ପ୍ରେମ ଝର ।୧୯।
ରମ୍ଭା ତୁ ମେନକା ମୋ' ପ୍ରୀତି ନାୟିକା ,
ଉର୍ବଶୀ ଚାହାଣି ଲାବଣ୍ଯ ପ୍ରେମିକା ।୨୦।
କନ୍ଦର୍ପ ଘରଣୀ କି ଅବା ସୁନ୍ଦରୀ ,
ଲାଜରେ ଗଲେଣି ନିଜେ ସେହୁ ମରି ।୨୧।
ଛନକୀ ଛଟକୀ ଗୁଣେ ତୁ ମୃଗୁଣୀ ,
ହାଟ ନାଟ କାହିଁ କର ମୋ' ସଙ୍ଗିନୀ ।୨୨।
ଆଗୋ ନବଯୋଷା ପ୍ରୀତି ମୋ'ର ପେଷା ,
ନ ହୋଇ ତୁ ରୁଷା ନାଶ ମୋ'ର ନିଶା ।୨୩।
ରସାଗୋରୀ ଚିନ୍ତି ଦୁଷ୍ଟ ମୋ'ର ମତି,
ନ ହୋଇ ବିଟପୀ ଉଭା ବୀଜ ପୋତି ।୨୪।
ହସ୍ତରେ କଙ୍କଣ ଭ୍ରମି ଅମ୍ରକୁଞ୍ଜେ ,
ପାଦରେ ଗାଲିଚା ଘୁଙ୍ଗୁରକୁ ରଞ୍ଜେ ।୨୫।
ହୃଦାଞ୍ଚଳ ଦିଶେ ମଞ୍ଜୁଳ କମଳ,
ଅଣ୍ଟା ସୂତା ଝୁଲେ ଲଭି ସେ ଅଞ୍ଚଳ । ୨୬।
ନାଭି ମଣ୍ଡଳରେ କିଏ ସେ ଆଙ୍କିଛି ?,
ସତେ ଅବା ମୁକ୍ତାପୁଞ୍ଜ କି ରହିଛି !।୨୭।
ଥଇଳ ଅଞ୍ଚଳ ନାଭିପାର୍ଶ୍ବ ସ୍ଥଳ ,
ଉଲ୍ଲସିତେ କରେ ଲହରୀ କନ୍ଦଳ ।୨୮।
ପୟ ଭାଗ ତୋ'ର ଅମୃତ ସହର
ମୁକ୍ତି ପଥ ନୀର ଜୀବନ ସାଗର ।୨୯।
ମଣି ମୁକ୍ତା ଖୋସି କହିଯାଉ ଖସି
ପାଉନାହିଁ ରଶି ବାନ୍ଧିବାକୁ କସି ।୩୦।
ରସିକ ରସାଳ ମାଗେ ସତ୍ୟ ଜଳ,
ପ୍ରୀତିରେ ପାଗଳ ବହେ ପ୍ରୀତି ଝାଳ ।୩୧।
ଚନ୍ଦ୍ରମଲ୍ଳିକା ତୁ ଜ୍ଯୋତ୍ସନା ବରନା ,
ହେମ ଗୋରୀ ଆଗୋ ହୃଦକୁ ଦହନା ।୩୨।
ଛନ୍ଦେ ଛାନ୍ଦ ଛନ୍ଦି ଛନ୍ଦ ବନ୍ଧ ବାନ୍ଧି,
ମନ୍ଦେ ମନ୍ଦେ ହସାନନ୍ଦେ ହୃଦଛନ୍ଦି ।୩୩।
ଫାନ୍ଦେ ଫନ୍ଦି ପିନ୍ଧୁ ସୁବର୍ଣ୍ଣାଳଙ୍କାର
ନିନ୍ଦି ନିନ୍ଦି ନିନ୍ଦୁ ବୈଭବ ନଅର ।୩୪।
ବିରସ ନୁହଁ ତୁ ମୋ' ଗଜ ଗମନୀ,
ବିଭୂଷଣ ବିନା ବିଭାସା ସଜନୀ ।୩୫।
ବିଭୂଷିତ ତନୁ କୋଟି ଚନ୍ଦ୍ର ଜିଣୁ ,
ଉଲ୍ଲାସ ବଦନୁ ପ୍ରୀତି ପ୍ରଭା ବିଣୁ ।୩୬।
ବିଭୂଷଣ ଅଶୁ କୋଟି ରବି ଦିଶୁ,
ବନେ ଭ୍ରମି ହସୁ ସୁବର୍ଣ୍ଣ ପ୍ରକାଶୁ। ୩୭।
ନିନ୍ଦ୍ଯରୁ ନିବୃତ ସଙ୍ଗ ଖୋଜେ କ୍ଷେତ,
ନିତି ନିତି ନିତ୍ୟ ପ୍ରୀତି ନୀରେ ଧୌତ ।୩୮।
କୁସୁମାଳ କରେ କୁସୁମମାଳ ଯେ,
କଷଣରେ କ୍ଷୀଣ କୃପୀଟ ମୋ'ର ଯେ ।୩୯।
ଦେଇ ଦିଅ ଦେହୁ ଦିବ୍ୟ ଦୃଷ୍ଟି ଦୀନେ,
ଦିବା ଦୁଆରରେ ଦାନ ଦିନେ ହୀନେ ।୪୦।
ଜାତରେ ଜାତ ତୋ' ଜୀବନ ଯୌବନ,
ଜଗତ ତୋ' ଜାତ ହୃଦଜୁ ସିଞ୍ଚନ।୪୧।
ନଭ ନୀଳନୀରୁ ନୀରଦ ନିବୃତ ,
ନାହିଁ ନାହିଁ କରି ଢାଳେ ବୀର୍ଯ୍ୟ ଶତ।୪୨।
ପ୍ରୀତିମାଳିନୀ ମୋ' ପ୍ରୀତମିଳନୀ ଗୋ,
ପ୍ରିୟତମା ମୋ'ର ହୃଦ ପଖାଳ ଗୋ ।୪୩।
ଆକାଶ ମୁଁ ଦୂରେ ରାସଲୀଳା କରେ,
ଅବନୀ ସଜନୀ କର କରେ ଧରେ ।୪୪।
ଶେଷେ ଭଜରାମ ଦିଅଇ ଗୋ ରାଣ,
ପୀରତି ଦେଇ ତୁ ରଖ ତା'ର ପ୍ରାଣ। ୪୫।
*****************************
ଭଜରାମ ସେଠୀ ,ନିରାଳ, ଗଂଜାମ
9566876504


ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ ଦୂରଭାଷ : 9566876504