ଅଶିଣ ମାସର ଶ୍ରେଷ୍ଠ ଉପହାର
ଆଜିର ଏ ଶେଷ ଦିନ
ସଭିଙ୍କ ମନରେ ଖୁସି ଭରିଦିଏ
କୁଆଁର ପୁନେଇଁ ଜହ୍ନ ।

ଚଉରା ମୂଳରେ ପ୍ରଭାତ ବେଳାରେ
ଗାଁ କୁଆଁରୀଙ୍କ ମେଳି
ନୂଆ ଜାମା ପିନ୍ଧି ସୁରୁଜଙ୍କୁ ଚାହିଁ
ଟେକନ୍ତି ଖଇ ଆଞ୍ଜୁଳି ।

ମାସଟା ଯାକର ଜହ୍ନି ଓଷା ପରା
ଆଜି ଠାରୁ ହେଲା ଶେଷ
ଅଳତା କୁଂକୁମ ଅତର ପରସେ
କୁଆଁରି ଓଠରେ ହସ ।

ସୁରୁଜ ନଇଁଲେ ମୁହଁ ସଞ୍ଜ ହେଲେ
ଆକାଶେ ଦିଶିବେ ଜହ୍ନ
ବୃନ୍ଦାବତୀ ପାଶେ ଚାନ୍ଦ ପୂଜା ଶେଷେ
କୁଆଁରି ଙ୍କ ନିବେଦନ ।

ରୂପରେ କୁମାର କାର୍ତ୍ତିକଙ୍କ ପରି
ବର ଟିଏ ଆଶା କରି
ସଭିଏଁ ନିଜର ମଥା ନୁଆଁଇବେ
ନିଶିକାନ୍ତଙ୍କୁ ସୁମରି ।

*ସିଦ୍ଧେଶ୍ବର ତ୍ରିପାଠୀ*



ରଚନା : ସିଦ୍ଧେଶ୍ବର ତ୍ରିପାଠୀ

ଠିକଣା : ଖୋର୍ଦ୍ଧା ଦୂରଭାଷ :