ବେଳେବେଳେ ......
ଭାରି କାହିଁ ଇଚ୍ଛା ହୁଏ ,
ଛୋଟ ପକ୍ଷୀଟିଏ ହୋଇ
ସୁନୀଳ ଆକାଶର ବକ୍ଷ ଚିରି ,
ତା'ର ସେହି ସୁବିସ୍ତୀର୍ଣ୍ଣ ନୀଳିମାର
ବଳୟକୁ ଅତିକ୍ରମୀ ,
ଟିକିଟିକି ଡେଣା ଝାଡ଼ି ,
ଉପରକୁ ବହୁ ଉପରକୁ
ଅନ୍ତରୀକ୍ଷ ଭେଦକରି ,
ଆଖି ପିଛୁଳାକେ
ଅନନ୍ତ ଯୋଜନ ଯାଏ
ଉଡ଼ିଯିବା ପାଇଁ ୲୲

କିନ୍ତୁ , ..........
ଯେବେ ଉଡିବାର ନିଶା ନେଇ ,
ଆନନ୍ଦରେ ତଲ୍ଲୀନ ହୋଇ,
ପ୍ରାଣେ ଭରି ଅମାପ ପୁଲକ
ଡେଣା ଝାଡ଼ି , ମାଟି ଛାଡ଼ି
ଉପରକୁ ଉଠେ ,
କିଛି ଦୂର ଉଡ଼ି ପୁଣି
ଅନୁଭବେ ଭିତରେ ଭିତରେ
ଏ ଆକାଶଟା ମୋ ଠୁଁ ,
କାହିଁ କେତେ ଦୂରେ ବହୁଦୂରେ
ସେ ଅପହଞ୍ଚ ଇଲାକାକୁ
କେବେ କ'ଣ ସତେ ,
ପାରିବି ମୁଁ ଛୁଇଁ ??

ହେଲେ ବି ମୁଁ , ........
ଉଡ଼ାଣର ଅଦମ୍ୟ ଇଚ୍ଛାରୁ
କେବେ ଦିନେ ବିରତ ହୋଇନି
ବରଂ, ମୋ ମନର ମୁକୁଳାପଣରେ
ହୃଦୟର ଆବେଗକୁ ଯୋଡ଼ି
ବାରମ୍ବାର କରିଛି ମୁଁ ଚେଷ୍ଟା
ତା' ବିସ୍ତୀର୍ଣ୍ଣତା ଆଉ ବିଶାଳତାକୁ
ତଉଲିବାର , ପରଖିବାର
ନିରବଚ୍ଛିନ୍ନ ପ୍ରୟାସଟେ ନେଇ ୲୲

ତଥାପି ବି ....
ହାର୍ ମୁଁ ମାନିନି ଦିନେ
ଥକି ବି ଯାଇନି
ଉଡ଼ାଣରେ ଲାଗି ରହି
ଟିକି ଡେଣା କେବେ ମୋର
ଅବଶ ହୋଇନି
ଉଡୁଛି ମୁଁ ଉଡୁଥିବି
ଅନ୍ତରୀକ୍ଷ ଭେଦିବାର
ନିରନ୍ତର ସଂକଳ୍ପଟେ ନେଇ ୲୲

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର, କୋରାପୁଟ
Content Category:
Submission Date: Sep 17, 2019