ବଙ୍କୁଲିବାଡିଟା ସବୁବେଳେ ନୀରବ
ତଳକୁ ମୁଣ୍ଡ ନୁଆଁଇ
କେତେ କଣ ଭାବୁଥାଏ,
ସତେଯେମିତି ଘରର ସବୁ ଭାର ତା'ଠି
ଅହରହ ଘରକୋଣରେ ପଡିଥାଏ
ନା ଅଭିଯୋଗ ନା ଅଭିମାନ,
ଚାକଚକ୍ୟ ଭିତରେ
ତା'କୁ କିଏବା ଲୋଡେ ।
ଯେମିତି ଘରର ବୁଢା ମଣିଷଟି
ଅଖୋଜା ଅଲୋଡା
କୋଣ ଘରଟି ତା'ର ସର୍ବଶ୍ରେଷ୍ଠ ଠିକଣା ।

ବଙ୍କୁଲିବାଡିଟା ସାହାରା ଦିଏ
ବେଳ ଅବେଳରେ ଭାର ବି ସହେ,
ସହିବନି ବା କେମିତି !
ନିଆଁରେ ନିଜକୁ ସେକିଛି
ପାଣିରେ ଦେହ ପଖାଳିଛି
ଖରାକୁ ପିଠି କରି ସମୟ ବିକିଛି
ବର୍ଷା ପିଇ ଶୋଷ ମେଣ୍ଟେଇଛି ।
ଶିଖିଛି ଶିଖେଇଛି
ଭାଙ୍ଗିଯିବ ହେଲେ ନଇଁବନି
ଯେମିତି ଘରର ବୁଢା଼ ମଣିଷଟି ।
ବୁଢା଼ ମରେ
ବଙ୍କୁଲିବାଡିଟା ବି ଜୁଇରେ ଜଳେ ।। 

Writer's Details: ନିର୍ମଳ କୁମାର ଦଳାଇ, ଶିକ୍ଷକ,
ରଇପୁର ନୋଡାଲ ଉଚ୍ଚ ବିଦ୍ୟାଳୟ, ମୋ:୯୦୯୦୦୬୯୩୫୦
Content Category:
Submission Date: Aug 31, 2019