
ତୁ-ମୁଁ ଏମିତି ଚାଲୁଥିବା ନିତି
ହାତ ଧରାଧରି ହୋଇ ,
ସୁଖରେ ଦୁଃଖରେ ଦମ୍ଭଧରି ଯିବା 
ଜୀବନ ସଙ୍ଗୀତ ଗାଇ  ।
ଏ ଜୀବନ ଏକ ସଂଘର୍ଷର କ୍ଷେତ୍ର
କଥାଟିକୁ ଥିଲେ ବୁଝି ,
ଦୁନିଆ ଭିତରେ ଭଲକରି ଆମେ 
ତା' ସହ ପାରିବା ଯୁଝି ।
ସଂସାର ଭିତରେ ଘର କରିଥିଲେ 
ସମସ୍ୟା ହୋଇବ ଠୁଳ ,
ସେବେଳେ ଧଇର୍ଯ୍ୟ ଧରିବା ଲୋ ମିଶି  
ହଟିଯିବ ସେଇ ବେଳ ।
ଅଯଥାରେ ଜମା ଅଭିମାନ କରି
କରିବାନି ଦୋଷାରୋପ ,
ଜଣେ ଆନ ପରେ ଭରସାଟି ରଖି
କରିବା କାର୍ଯ୍ୟକଳାପ ।
ନିଜ କର୍ତ୍ତବ୍ୟକୁ ମନେରଖି ସଦା 
ଆଗକୁ ବଢ଼ିବା ଆମେ ,
ତେବେ ସିନା ଦୁହେଁ ପରିଚିତ ହେବା 
ସଫଳ ଦମ୍ପତି ନାମେ ।
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।
