ହୁଏତ..
ସମୟର ବିବର୍ତ୍ତନ ପରେ
ଅଣଦେଖା ଧୂଳି ଧୂସରିତ ମୁଠାଏ ସ୍ମୃତି
ପଡିରହିଥାଇପାରେ
ସେ ଗାଁ ମୁଣ୍ଡ ଇମାରତରେ...
ହୁଏତ..
ରାଜନେତା ପ୍ରତିଶୃତି ଡିବିରି ଆଲୁଅ
ମିଞ୍ଜି ମିଞ୍ଜି ହୋଇ ହସୁଥାଇପାରେ
ଆମ ଗାଁ ନଣ୍ଡା ପାହାଡ ଚୂଳ ଉପରେ..
ହୁଏତ..
ଅତ୍ୟାଧୁନିକ ଚିକିତ୍ସକଙ୍କ ଅସ୍ତ୍ରୋପଚାର
ଖୋଳି ତାଡି ଫିଙ୍ଗି ଦେଇଥାଇପାରେ
ଜଙ୍ଗଲୀ ଜୀବନର ସରଳ ହୃଦୟଟିକୁ
ସଭ୍ୟତାର ନିହାଣ ମୁନରେ ..
ହୁଏତ..
ଛୋଟିଆ ଆଖିର ବଡ ବଡ ସ୍ୱପ୍ନ ସବୁ
ଟୁକ୍ ଟୁକ୍ ଚାହୁଁଥିବେ
ତୁମ ସହରୀ ଆଲୋକ ତାରାମେଳରେ..
ହୁଏତ..
ବେଙ୍ଗ ବେଙ୍ଗୁଲି ମଧୁମିଳନ ରାଗିଣୀ ତୋଳୁନଥିବେ
ପହିଲି ଆଷାଢ ନହୁଲି ବର୍ଷା ଛିଟାରେ..
ହୁଏତ..
ରାଧୁଆ ଭାଇନା କଳାଧଳା ଭେଜାଲ୍ ବିହୀନ ହସରେ
ରାଧେଶ୍ଯାମ ମହାଜନର ସାତ ପ୍ରାଣୀ କୁଟୁମ୍ବ ଜଞ୍ଜାଳ ଦରିଆ
ପହଁରି ଯାଉଥିବେ ଅନାୟାସରେ ..
ହୁଏତ..
ଆତ୍ମନିର୍ଭର ଦାନା ଖୋଜୁ ଖୋଜୁ
ଗୋଠ ଛାଡି ଏକା ଏକା ଚାଲିବା ଶିଖିଯାଇଥିବେ
ସବୁ ଗୁହାଳେ ସ୍ନେହ ମମତା ବନ୍ଧନ ବନ୍ଧା ବାଳୁତ ବାଛୁରୀମାନେ...
ତଥାପି..
ମୋ ଗାଁ ହସୁଛି..
ରଙ୍ଗ ବେରଙ୍ଗର ସୁନେଲି ପାଟ ପିନ୍ଧା
ଚକଖଡି ଅଙ୍କା ମନ ସିଲଟ ଚିତ୍ରପଟ୍ଟରେ..
ବାତୁଳ ପ୍ରେମିକ ଲେଖନୀ ମୁନରେ
କେଇଗୋଟି ଶବ୍ଦ , କେଇ ବୁନ୍ଦା ଆବେଗ ଗୁନ୍ଥା ଫୁଲମାଳରେ..
ସେ ପାହାଡ ତଳ ମୋ ଛୋଟିଆ ଗାଁଟି
ଏବେବି
ମହମହ ହୋଇ ମହକି ଉଠୁଛି
ପହିଲି ବର୍ଷାର ଓଦା ସରସର ଭିଜାମାଟି ବାସ୍ନା ସାଥିରେ...

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର