ପ୍ରଜାପତି ଡେଣା ପିନ୍ଧି
ଇନ୍ଦ୍ରଧନୁ ରଙ୍ଗ ଘୁଙ୍ଗୁର ଅଳଙ୍କାର ବାନ୍ଧି
ନାଟ ମଣ୍ଡପରେ ମୁଁ ଖୁବ୍ ନାଚିଲି..
ନିଜେ ନାୟକ , ନିଜେ ଦର୍ଶକ ପୁଣି
ନିଜ ନାଟକର ନିଜେହିଁ ନିର୍ଦ୍ଦେଶକ ସାଜିଲି..
ବଖରା ବଖରା ପ୍ରଶଂସା ଆକାଶ ଛୁଆଁ  ସମ୍ମାନ ତାଲିକା
ଜୀ -ହାଁ-ହଜୁର୍ ମିଞ୍ଜି ମିଞ୍ଜି ତାରାମେଳେ
ସତେଅବା ମୁଁ ପୁନେଇଁର ଜହ୍ନ..

କ୍ଷଣିକ ସ୍ୱପ୍ନ  ଅନ୍ତରେ
ବିଦଗ୍ଧ ହୃଦୟସୁଖ ନିର୍ବାସିତ ହେଲାପରେ
ବିବେକ୍ ମୋ କରାଘାତ କରି ଖୋଜେ
ପରିପକ୍ୱ ଆଶାବରୀ ପରିତୃପ୍ତି ହାଇ ଗୁମାନ୍ ର ଗୋପନ ଗଳିରେ..
ମୋ ନଜର ଏପାରି
ଫଗୁଣର ବାସ୍ନାୟିତ ମଧୁବନ
ଫୁଲ ଝୁଲଣା ଝୁଲି ପ୍ରିତି ବାଢେ ମଧୂର କମ୍ପନ
ଆଉ ନଜର ସେପାରି
ହା-ହତାଶା କୁରୁକ୍ଷେତ୍ର କଷଣ ଦହନ..

ନିଜପାଖେ ନିଜେ ଆଜି କେତେବା ଜିତିବି..??
ବାସ୍ ଥରୁଟିଏ ଜୀବନର ବାସନ୍ତୀ ସଂଧ୍ୟାରେ
ମୋ ପାଇଁ ଆଣିବ କି କେହି
ଇଛାମୃତ୍ୟୁ ମାଗି ବସନ୍ତର ଶେଷ ଲଫାପାରେ..
ଘୃଣା-ହିଂସା-ରାଗ-ରୁଷା-ଛଳନା-ପ୍ରତାରଣା-ମୁଁ ଅନ୍ତେ
ବିବର୍ତ୍ତିତ ହୋଇଉଠନ୍ତା ଶାନ୍ତି ମୈତ୍ରୀ ଏକତାର ତ୍ରିବେଣୀ ସଙ୍ଗମ..
ପିତାମହ ମୁଁ ଶେଷ ନିଶ୍ୱାସ 
ବିଶ୍ୱ ପୃଷ୍ଠେ ବାଜିଉଠନ୍ତା "ବନ୍ଦେ ମାତରମ୍" ପାଞ୍ଚଜନ୍ୟ ଶଙ୍ଖ...

ଶିବ ଚରଣ ମହାପାତ୍ର
ଚକ୍ରଧରପୁର:କେନ୍ଦୁଝର
ଦୁରଭାଷ-7008415245