ବିଶ୍ବାସ ଏକ ଅମୃତ ଅନୁଭବ
ତାର ମହାସିନ୍ଧୁ ରେ
ସିକ୍ତ ହେଲେ ହୃଦୟ
ପ୍ରାଣରେ ଖେଳିଯାଏ
ନୂତନ ପ୍ଳାବନ
ଜୀବନୀୟ ହେଇଉଠେ
ସଂପର୍କର ଶୁଷ୍କ ବନାନୀ
ସବୁଜ ସ୍ପନ୍ଦନ ଖେଳିଯାଏ
ସତେ ଅବା ମନର ମରୁରେ,
ସୁନାର ଫସଲ ଝରିପଡ଼େ
ଭାବନା କ୍ଷେତରେ  ।
ବିଶ୍ବାସ ବିବେକର ବନ୍ଧୁ ସାଜିଗଲେ
ଆନନ୍ଦର ଉଛୁଳା ନଈରେ
ଆଶାର ତରୀକୁ
ବାହିନିଏ ଜୀବନ ଝଡରେ,
ଅବଶ ହୁଏନା କେବେ
ଲକ୍ଷର କାତ
ଅନେକ୍ ଶୂନ୍ୟତା ଭିତରେ ବି
ପରିପୂର୍ଣ୍ଣ ଦିବ୍ୟ ଅନୁଭବ
ମଥାପିଟୁଥାଏ ହୃଦୟ କୋଣରେ  ।
ଓଠ ଫାଙ୍କରେ
ଉତୁରି ଆସୁଥାଏ
ଖୁସିର ଉଚ୍ଛ୍ବାସ
ବିଶ୍ବାସର ସଂଜ୍ଞାଟା ଏକ ମହାଦ୍ରୁମ
ଯାହା ମଜବୁତ୍ ହେଉଥାଏ
ସଂପର୍କର ଅତୁଟ ରଜ୍ଜୁରେ,
ଆଉ ହୁଗୁଳିବାକୁ ଲାଗେ
ସନ୍ଦେହର ବିଷମଞ୍ଜିଟା
ବୁଣି ହେଇଯାଏ
ଯେଉଁଦିନ ମନର
ସଫେଦ୍ କ୍ଷେତରେ  ।
ଆଶାର ପବିତ୍ର ଜାହ୍ନବୀଟା
ଗୁମୁରି ଗୁମୁରି କାନ୍ଦେ
କାହାକୁ ଦେଖେଇବାକୁ
ଚାହେଁନା ସେ ଲୁହ,
ଶକ୍ତିହୀନ ହୋଇଉଠେ ପାଦ
ଭଟ୍ଟା ପଡିଯାଏ
ଜୀବନ ଜୁଆରେ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି,ହାଟଡିହି, କେନ୍ଦୁଝର ।
Content Category:
Submission Date: Aug 13, 2019