ବିଦଗ୍ଧ କବିତା - ଶିବ ଚରଣ ମହାପାତ୍ର

0

ଦୂର ଦିଗ୍‌ବଳୟ ଅନ୍ତିମ ସୂର୍ଯ୍ୟ ମୁଁ
ତୁମେ ସରସୀର କଇଁ
ଆଖିରେ ଆଖିଏ ପ୍ରଣୟ ଶୃଙ୍ଗାର
ପାରେନାହିଁ କେବେ ଛୁଇଁ..

ପର ଆକାଶର ଧୂମାଭ ତାରା ତୁ
ମୁଁ ' ବିଦଗ୍ଧ ସଞ୍ଜବତୀ
ନିତି ନିଶି ଜଳେ ଦିକିଦିକି ହୋଇ
ଲୁଚାଇ ଅସହ୍ୟ ତାତି..

ଯମୁନା ଅଗଣା କଦମ୍ବ ବାସ ମୁଁ
ତୁମେ ମଧୂଝରା ରାତି
ମଥୁରା ମଙ୍ଗଳ ଲେଖା ମୋର ଭାଗ୍ୟେ
ଗୋପପୁରେ ଛାଡି ସାଥି..

ଭାବନା ବିହୀନ ଶବ୍ଦଟିଏ ମୁଁ
ତୁମେ କବିତାର ଝର
ଓଠ ନ ଛୁଇଁବି ବଂଶୀ କି' କେବେ
ତୋଳିଛି ସ୍ୱର ଝଙ୍କାର..

ନିଦାଘ ନୟନେ ବିରହ ଜ୍ୱାଳା ମୁଁ
ତୁମେ ଭିଜାମାଟି ବାସ୍ନା
ରତି ବିନା ଋତୁ ମିଳନ କି ହେବ
ଅତୃପ୍ତ ରହୁ ଏ ତୃଷ୍ନା..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Post a Comment

0Comments
Post a Comment (0)