ମରତ ପୁରକୁ ବୁଲିଯିବୁ ଆଜ
ଅନୁମତି ଦିଅ ପିତା ,
ଭକତଙ୍କ ସଙ୍ଗେ ଦିନ ବିତାଇବୁ
ସଙ୍ଗତରେ ଯିବେ ମାତା ।

ଶୟନ କାଳରେ ମଥା ଆଉଁସିକି
କହୁଥିଲେ ମାତା କାଲି ,
'ପିତାଙ୍କଠୁ ତୋର ବୁଝିବୁଟି ବାପ
ମରତକୁ ଯିବା ବୁଲି ।

ଯେତେ ଶୈବ,ଶାକ୍ତ, ଗାଣପତ୍ୟ ପୀଠ
ସବୁ ନିରେଖିବା ନେତ୍ରେ ,
ଦୁନିଆବାସୀଙ୍କ ଦୁଃଖ, ସୁଖ ବୁଝି
ଫେରିବା କୈଳାସ କ୍ଷେତ୍ରେ ।'

ସେଥିପାଇଁ ମୁହିଁ କରପତ୍ର ଯୋଡ଼ି
ଅନୁମତି ଲୋଡ଼େ ପିତା ,
ତବାଦେଶ ହେଲେ ସଅଳ ଚଳିବୁ 
ବୁଝିବୁ ଭକ୍ତଙ୍କ କଥା ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।