ଆଷାଢ଼ ଶୁକ୍ଳର ପବିତ୍ର ଦିବସ 
ଜଗତ କଲ୍ୟାଣ ପର୍ବ ,
ସ୍ଵର୍ଣ୍ଣ ଆଭୁଷଣେ ଭଗ୍ନୀଭ୍ରାତା ସଙ୍ଗେ
ରଥେ ପ୍ରଭୁ ଉପବିଷ୍ଟ ! !

ଏ' ସ୍ଵର୍ଣ୍ଣାଭ ପରବ ଜଗତ ବିଖ୍ୟାତ
ପ୍ରଭୁଙ୍କ ସଦିଚ୍ଛା ମାତ୍ର ,
ଭକତର ନେତ୍ର ଦେଖେ ସୁନା ବେଶ
ଜଗନ୍ନାଥ ସର୍ବ ମିତ୍ର ! !

ଦ୍ଵାଦଶ ବିବିଧ ସ୍ଵର୍ଣ୍ଣ ଅଳଙ୍କାର
କଟିମାଳା ଅଣ୍ଟାସୂତା ,
କିରିଟି କୁଣ୍ଡଳ ରତ୍ନ ଗଳା ମାଳ
ମସ୍ତକେ ମୁକୁଟ ଶୋଭା ! !

ଅଶେଷ ମହିମା ହେ' ପ୍ରଭୁ ମଣିମା
ଜଗତ ଗୋସାଇଁ କର୍ତ୍ତା ,
ରଥେ ରଥ ଯାତ୍ରା ରଥରେ ବାହୁଡା
ଭକତ ପ୍ରେମରେ ବନ୍ଧା ! !

ଆହାକି ସୁନ୍ଦର ଏ' ଶୃଙ୍ଗାର ବେଶ
ଦର୍ଶନେ ବିମୁଗ୍ଧ ଭକ୍ତ ,
ପାପନେତ୍ର ଯେବେ ଦେଖେ ମହାଭାବେ
ମନପ୍ରାଣ ହୁଏ ସିକ୍ତ ! !

ବିଧିର ବିଧାନ ହେ'ଚକା ନୟନ
ବାର ମାସେ ତେର ପର୍ବ ,
ତବ ଶ୍ରୀମନ୍ଦିରେ ଭକ୍ତ ଭିଡ ଜମେ
ଆହାକି ସମ୍ବନ୍ଧ ଭାବ ! !

ପ୍ରଥା ପରମ୍ପରା ବିଶ୍ଵରେ ନିଅାରା
ସମୃଦ୍ଧ ଉତ୍କଳ ଛବି ,
ସଂସ୍କୃତି ଚିତ୍ରିତ ତୁମ୍ଭରି ସ୍ଵୀକୃତ
ହସେ ଅଂଶୁମାନ ରବି ! !

ହେ'ସ୍ଵର୍ଣ୍ଣ ଚୂଡ଼ାମଣି ରସିକ କେଶରୀ
ଦୀନବନ୍ଧୁ ଦଇତାରୀ ,
ରଥପଥ ମିତ ଆଶିର୍ବାଦେ ନିତ୍ୟ
ରୋଗ ଶୋକ ନିଅ ହରି ! !

ତୁଳଷୀ ଦୟଣା କିରତି କରୁଣା
ସବୁତ ତୁମ୍ଭରି ଲୀଳା ,
ଭାଵ ବିନୋଦିଆ ହେ'ଜଗା କାଳିଆ
କୃପାବଳେ ଭାସେ ଭେଳା ! !

ସୁସଜ୍ଜିତ ରଥ ନନ୍ଦିଘୋଷ ପ୍ରୀତ
ରଥାରୂଢ ଜଗନ୍ନାଥ ,
ସୁନାବେଶ ରୂପ ସମୃଦ୍ଧି ସନ୍ଦେଶ
ପାଦପଦ୍ମେ ପ୍ରଣିପାତ ! !

Writer's Details: ସଦାନନ୍ଦ ସାହୁ , କାରା କର୍ମଚାରୀ ,
କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର , ଯୋଗା ଯୋଗ ସଂଖ୍ୟା - 7978517998Content Category:
Submission Date: Jul 15, 2019