ହସୁଛି ଧରଣୀ ରାଣୀ
ଚପଳା ଚମକେ ବାଦଲ ଉହାଡ଼େ
ମନ ନେଉଅଛି କିଣି...
ନଦୀ ପୁଷ୍କରିଣୀ ଉଛୁଳି ଗଲେଣି
ଭିଜୁ ଅଛି ତନୁ ମନ
ନିଆଶା ନିଦାଘ ଲେଉଟି ଯାଇଛି
ଶୁଭେ ବେଙ୍ଗୁଲୀର ସ୍ୱନ...
ଆକାଶୁ ଖସୁଛି ବିନ୍ଦୁ ବିନ୍ଦୁ ମୋତି
କୁହୁଳି ଉଠୁଛି ଧୂଆଁ
ଶ୍ରାବଣ ପରଶେ ସବୁଜ ସବୁଜ
ଦିଶୁଛି ଅବନୀ ହିଆ...
କାହିଁ କେତେଦିନୁ ଚାତକର ଆଶା
ସିନ୍ଦୁକ ଭିତରେ ଥିଲା
ପହିଲି ଛୁଆଁରେ ହୃଦୟ କନ୍ଦରେ
ଉଲ୍ଲାସ ଯେ ଭରିଦେଲା...
ଥିରି ଥିରି ନାଚେ କାନନରେ କେକୀ
ନଭେ ହସେ ଇନ୍ଦ୍ରଧନୁ
ଚଉଦିଗେ ଦେଖ ଖୁସିର ଲହରୀ
ତମେ ଛୁଇଁଯିବା ଦିନୁ...
ଅଳପ ଅଳପ ବରଷାର ବାରି
ଭିଜା ଭିଜା ତୁମ ସ୍ମୃତି
ମେଘ ଓ ମହ୍ଲାର ହାତଠାରି ଡାକେ
ପାହି ଗଲା ପରେ ରାତି...
0 Comments
You can write now your valuable comments here. Off-topic comments may be removed or deleted without prior notice.