ମୁଁ ଯେବେ ଉତୁରିଲି ରଙ୍ଗୀନ ଆଖି ଫଗୁ ନଜରରେ
ଆଖିଏ ପୃଥିବୀ କଏଦ୍ ହେଲା ଚାରିକାନ୍ଥ ଭିତରେ
ମଧୁ ମୂର୍ଚ୍ଛନା ବୋଲିଲେ ନିର୍ଜନତା ସୁପ୍ତ ନୀରବତା
ଜ୍ୟୋତ୍ସ୍ନାଭିଜା ନିଶୀଥ ସାଥେ ଆଙ୍କି ମଧୁକ୍ଷରା କବିତା..

ହସ କାନ୍ଦ ଲୁହ ଲହୁ ପ୍ରତାରଣା ପ୍ରେମ ଫେଣ୍ଟା ଫେଣ୍ଟି
ଆଞ୍ଜୁଳାଏ ରକ୍ତ ପିଇ ଜହ୍ନ ପୁଣି ଲେଖୁଥିଲା ଚିଠି
ଦଲକାଏ ନିଶ୍ୱାସରେ ଝୁଲୁଥିଲା ବାଇଆ ବିଧୁର
ଆଖିଏ ସପନ ନେଇ ସାଜୁଥିଲା ମାୟାର ସଂସାର...

ଫର୍ଦ୍ଦ ଫର୍ଦ୍ଦ ମିଠା ସ୍ମୃତି ହସୁଥିଲେ ଶୋରିଷ ଫୁଲରେ
ମହଣେ ବିଶ୍ୱାସ ଖସି ପଡୁଥିଲେ ଛଳନା ହାଟରେ
ଶବ୍ଦ ସବୁ ଶୋଷି ନେଲା ଅହଂକାରୀ ନୀଳ ସରୋବର
ଚିନ୍ତା ଚେତନା ବିରହେ ମରୁଭୂମି ବିଜ୍ଞାନୀ ସାଗର...

ଫଗୁଣେ ବେରଙ୍ଗ ପୃଥ୍ବୀ ମିଥ୍ୟା ମୁଖୋଟା ନଜର ତଳେ
ସତ୍ୟ ଆଲୋକେ ସୌନ୍ଦର୍ଯ୍ୟ ବିଶ୍ୱ ନେତ୍ର ନଈ ଦୁଇ କୂଳେ..