ନୀଳ ରକତ ପାଇଁ ରକତ ଦେବା - ସୁଧାକର ସେଠୀ

0
ରକତ ଦେଇ ଆମେ
ବନାଇବୁ ସୁରକ୍ଷା କବଚ
ତା ରକତ ସହ ମିଶିଲେ ଡୋର
ନିବିଡ ହେବ ସେ ସଂପର୍କ

ଛାଡିବୁନି ଏ ସୁଯୋଗ
ଆସ ହେବା ଏକଯୁଟ
କେଉଁ ଯୁଗରୁ କହି ସେ ଆସୁଛି
ମୁଁ ଭଲପାଏ ଏ ଜୀବଜଗତ

ନୀଳରକତ କଙ୍କଡା ମୁଁ
କିଏ କହେ ରାମ ଲେଖନୀ
ଲଖଣ ପାତିଆ ଡାକେ କିଏ
କଙ୍କୁ କହେ କିଏ ପୁଣି

ରହିଛି ରହିଥିବି ତୁମ ସାଥେ
ନହୁଅ ଧ୍ବଂସ ପଥେ ପଥିକ
ଏବେ ମୋର ସୁରକ୍ଷା ତୁମ ହାତେ
ପ୍ରେମ ବାଣ୍ଟିବାକୁ ମୁଁ ପ୍ରସ୍ତୁତ

ମୋ ଭିତରେ ରଖିଛି ସାଇତି
ଦେଖ ତୁମ ପାଇଁ ଅମୃତ
ହେ ଶ୍ରେଷ୍ଟ ଜୀବ ଶୁଣବାରେ
ନ ହୁଅ ତୁମେ ପଥଭ୍ରଷ୍ଟ

ଜଳ ଜଙ୍ଗଲକୁ ଦିଅ ସୁରକ୍ଷା
କାଟ ନାହିଁ ତୁମେ ଗଛ
ଉପକୂଳର ଜୈବ ବିଭେଦତା
ଆମ ପାଇଁ ସୁରକ୍ଷା କବଚ

ଅସନ୍ତୁଳିତ ପରିବେଶେ ବଞ୍ଚିବୁ କେମିତି
ହରାଇବୁ ନିଶ୍ଚେ ସତ୍ତା
ମୋ ସନ୍ତାନ ପାଇଁ ସୁରକ୍ଷା ସ୍ଥାନ ଅଟେ
ମାଟି ପାଣିର ନିବିଡତା

ଧାଇଁ ଆସୁ ଆମେ ସାଗର ଗରଭୁ
ଦୁଇ ପରାଣୀ ହୋଇ ଆତୁର
ଉପକୂଳରେ ସେ ଆମ ମିଳନ
ଭରି ଦିଏ କେତେ ସପନ

ସନ୍ତାନ ମୋର କେତେ ନିରିମାଖି
ଭାରି ତା କୋମଳ ଦେହ
ଚିଲ ଶାଗୁଣାଠୁ ରକ୍ଷାକରିବାକୁ
କଥା ଦେବକି ଏଥର

ରକତ ସିନା ଦେଇ ଯୋଡୁଛ ଭାବ
ବନୁଛ ମୋହର ଭାଇ
ଅପେକ୍ଷା ଥିଲା ଯୁଗଯୁଗରୁ
ଏ ମହା ମିଳନ ପାଇଁ

ମୋ ଘରକୁ ଭାଙ୍ଗିବ ନାହିଁ
ବଦଳାଇବ ନାହିଁ ତା ରୂପ
ମାଟି ପାଣିର ସେ ମହାମିଳନ ସ୍ଥଳ
ସରଗଠୁ ମୋ ପାଇଁ ଅଧିକ।

ଜମ୍ବେଶ୍ବରପୁର, ବାଲେଶ୍ବର
ଦୁରଭାଷ-୯୩୩୭୬୮୧୫୨୪

Post a Comment

0Comments
Post a Comment (0)