ପୁରୁଷୋତ୍ତମ ହେ ଜଗତ ଇଶ୍ୱର 
ଏଡିକି ନିଷ୍ଠୁର ତୁମେ
କାହା ଭାଗ୍ୟ ରେ ଫୁଲର ଫଗୁଣ
ଯାତନା ଦେଲ କା କର୍ମେ..

ଭକତ ଜଟାୟୁ ଡେଣା ଛେଦ କଲ
ଭକ୍ତି ଦେଲ ତା'ର ହୃଦେ
ଭକ୍ତ ରକ୍ଷା ପାଇଁ ବାଳୀ ବଦ୍ଧ କଲ
ସୁଗ୍ରୀ ଙ୍କୁ ଜିତାଇ ଯୁଦ୍ଧେ..

ମାତା ସୀତା ଓଠେ ଅଜାଡିଲ ଲୁହ
ଲହୁରେ ଲେଖିଲ ଗାଥା
ଅବୁଝା ସୁତ ମୁଁ ପାରେନାହିଁ ବୁଝି
ତୁମ ମନ ତଳ କଥା..

ବିଭୀଷଣ ଭାଗେ ସୁନାର ଶ୍ରୀଲଙ୍କା
ନିଜ ପାଇଁ ବନବାସ
ପୁତ୍ର ଲବ କୁଶ ପିତା ସ୍ନେହ ବିନା
ଭାଗ୍ୟକୁ ଦିଅନ୍ତି ଦୋଷ..

ତୁମେ ଯେବେ ଲେଖ ସବୁ ଭାଗ୍ୟ ପ୍ରଭୁ
ସତୀ ଙ୍କୁ କାହିଁକି ଝୁର
ନିଜ କପାଳ ରେ ଆଙ୍କିଲନି କାଇଁ
ସୁଖର ମଧୂର ସ୍ୱର..

ଯୁଗ ଯୁଗ ପାଇଁ ନିଜ ଭାଗେ ଦୁଃଖ
କେଉଁ କାରଣରୁ ବାଛ
ସତେ କି ଠାକୁରେ ବିରହ ଜ୍ୱଳନେ
ଆତ୍ମତୃପ୍ତି ଲଭୁଅଛ..

କିଛି ମୁଁ ନବୁଝି ଏତିକି ବୁଝୁଛି
ସୁଖେ ତୁମେ ସାତପର
ଦୁଃଖ ଯନ୍ତ୍ରଣାରେ ଛଟପଟ ହେଲେ
ମନ ଖୋଜେ ତୁମ ଦ୍ୱାର..

ଏତିକି କରୁଣା ଥରୁଟେ କର ହେ
ମୋ ଭାଗ୍ୟେ କଷଣ ଦିଅ
ମିଛ ମାୟା ମୋହ କୁହୁଡ଼ି ସଂସାରୁ
ତୁମ୍ଭ ପାଖେ ଟାଣି ନିଅ...

ଚକ୍ରଧରପୁର, କେନ୍ଦୁଝର