ଆଶ୍ଚର୍ଯ୍ୟ କଥା ଏ ଶୁଣଲୋ ସଙ୍ଗାତ
ମନକୁ କରିଣ ସ୍ଥିର ।
ଏ ଭବ ସଂସାରେ ଜାଣିଛୁ କି ତୁହି
କିଏ ସାର କେ ଅସାର ।। ୧

ସାର ବୋଲି ଯାକୁ କରୁ ଗଳା ହାର
ସିଏ ତୋ ଗଳାର ଫାଶ ।
ନ ବୁଝି ଯଦି ତୁ କରିଦେବୁ ଡେରି
ହୋଇବୁ ଅଣନିଃଶ୍ବାସ ।। ୨

ସଂସାର ଟା ବଡ଼ ବିଚିତ୍ର ସଙ୍ଗାତ
ଦୂରୁ ଯେହ୍ନେ ମରୀଚିକା ।
ଜଳର ଭ୍ରମ କୁ ଜଗାଏ ମନରେ
ହୃଦୟ ରେ ରଖି ଦକା ।। ୩

ଦୂର ପରବତ ସୁନ୍ଦର ସଙ୍ଗାତ
ପାଖକୁ ଗଲେ ଟାଙ୍ଗର ।
ଏ ସତ୍ୟକୁ ଯେବେ ବୁଝିବୁ ସଙ୍ଗାତ
ସଂସାରୁ ହୋଇବୁ ପାର ।। ୪

କ୍ଷୀର ରେ ଲୁଚିଛି ଲବଣୀ ସଙ୍ଗାତ
ଲବଣୀ ରେ ଅଛି ଘୃତ ।
ସଂସାର କୁ ଯେବେ ସୁମନେ ମନ୍ଥିବୁ
ଲଭିବୁ ତହୁଁ ଅମୃତ ।। ୫

ନାରୀ ଯେହ୍ନେ ପିନ୍ଧେ ସୁଖେ ଲୋ ସଙ୍ଗାତ
ଶରୀରେ ସୁନା ଗହଣା ।
ହାତ,ପାଦ ,ନାକ ,କାନ ବାନ୍ଧି ଥାଏ
ମନ ନ କରିଣ ଉଣା ।। ୬

ସଂସାର ବନ୍ଧନ ସେ ରୂପେ ସଙ୍ଗାତ
ବନ୍ଧା ସୁନା ଶିକୁଳିରେ ।
ବନ୍ଧନ ର ପିଡା ନ ଜାଣଇ ନର
ବାନ୍ଧି ହୁଏ ଆନନ୍ଦରେ ।। ୭

ପକ୍ଷୀ ଯେହ୍ନେ ଯତ୍ନେ ନୀଡ ବାନ୍ଧି ତହିଁ
ପାଳଇ ଶାବକେ ତାର ।
ଉଡା ଶିଖି ଗଲେ ସୁଖେ ଉଡ଼ି ଯାଏ
ନଥାଏ ଭେଟ ତାହାର ।। ୮

ପୁତ୍ର କନ୍ୟା, ଭାଇ ,ବନ୍ଧୁ ପରିଜନ
ସବୁ ତ ମାୟା ଜଞ୍ଜାଳ ।
ସ୍ବାର୍ଥ ସିଦ୍ଧ ହେଲେ ବାଟ ଭାଙ୍ଗି ଯାନ୍ତି
ନଥାଏ କାହାରି ବେଳ ।। ୯

ମୋର, ମୋର ବୋଲି ମିଛେ ଲୋ ସଙ୍ଗାତ
ପକଉଛୁ ସିନା ହୁରି ।
ଆସିଲା ବେଳେ ତୁ ଆଣିଥିଲୁ କିସ
ଯିବୁ କିସ ଧରି କରି ।। ୧୦

ଟଙ୍କା,ସୁନା କୋଠା ବାଡି ଲୋ ସଙ୍ଗାତ
ଏସବୁ କ୍ଷଣଭଙ୍ଗୁର ।
ସଂସାର ମଞ୍ଚ ରେ ଯାହା କରି ଯିବୁ
ସେ ହେବ ପଥର ଗାଁର ।। ୧୧

କି ସରାଗେ ପିନ୍ଧୁ ବାସ ଲୋ ସଙ୍ଗାତ
କେତେ ଯତ୍ନେ ବାନ୍ଧୁ କେଶ ।
ଅତି ପ୍ରିୟ ତୋର ଏ ଶରୀର ଦିନେ
ହୋଇବ ମୁଠେଇ ପାଉଁଶ ।। ୧୨

ଶୈଶବ ଯେହେତୁ ରହିନି ସଙ୍ଗାତ
ର‌ହିବନି ଯଉବନ ।
ଡଉଲ,ଡାଉଲ ସୁଠାମ ଶରୀର
ହେବ ଦିନେ ଜରାଜୀର୍ଣ୍ଣ ।। ୧୩

ଏଇତ ସଂସାର ହାଟ ଲୋ ସଙ୍ଗାତ
ବସିଛି ହୋଇ ବିସ୍ତିର୍ଣ୍ଣ ।
କର୍ମ ବିନିମୟେ ସଉଦା କରିବୁ
ଯାହା କହିବ ତୋ ମନ ।। ୧୪

ଯାହା ଦେବୁ ହସ୍ତ ଟେକି ଲୋ ସଙ୍ଗାତ
ଯାହା ଦେବୁ ହସ୍ତ ତୋଳି
ଗଲା ବେଳେ ତୋର ପାଥେୟ ହୋଇବ
ଦେଇଥା କିଛି ନ ଭାଳି।। ୧୫

ଧନ ଯେବେ ତୁହି ସଞ୍ଚିବୁ ସଙ୍ଗାତ
ଅବଶ୍ୟ ହୋଇବ ଚୋରି ।
ଧର୍ମ ଧନ ଯେବେ ଯତନେ ସଞ୍ଚିବୁ
ସଙ୍ଗେ ଯିବୁ ଘେନି କରି ।। ୧୬

ହଜାରେ ମିଛରେ ଏକା ସେଇ ସତ
ମୃତ୍ୟୁ ଅଟେ ଯାର ନାମ ।
ସମ୍ମୁଖେ ଦେଖି ବି ଅଦେଖା କରୁଛୁ
ମାୟା ରେ ହୋଇ ନିମଗ୍ନ ।। ୧୮

ପ୍ରତି ମୂହୁର୍ତ୍ତ ରେ ମୃତ୍ୟୁ ଲୋ ସଙ୍ଗାତ
କବାଟେ ମାରୁଛି କର ।
ଏ କଥା କୁ ବୁଝି ସାବଧାନ ହୋଇ
ପାପ ଠାରୁ ରହ ଦୂର ।।

Writer's Details: ସୁଦ୍ରୁମା ପଣ୍ଡା
ଭଟଲି, ବରଗଡ଼, ଓଡ଼ିଶା
Content Category:
Submission Date: Jul 09, 2019