କଂସ ରାଜା ଥିଲେ ମଥୁରା ନଗରେ 
ଥିଲେ ଭାରି ପରାକ୍ରମୀ,
ମନେ-ମନେ କିନ୍ତୁ ଭୟ କରୁଥିଲେ
ଶୁଣି ଆକାଶର ବାଣୀ l
ପଠାଇଲେ ଦିନେ ଅକ୍ରୁର ହାତରେ
ଏକ ନିମନ୍ତ୍ରଣ ବାର୍ତ୍ତା,
ଅକ୍ରୁର କୃଷ୍ଣଙ୍କୁ କହିଲେ ଆଦରେ
ଯିବା ପାଇଁ ଧନୁଯାତ୍ରା l
ଅକ୍ରୁରଙ୍କ କଥା ଶୁଣି ତ ଶ୍ରୀକୃଷ୍ଣ
ଲୋଡିଲେ ମାତା ଆଦେଶ,
ଜନନୀଙ୍କ ହୃଦେ ଭରିଗଲା କିନ୍ତୁ
ବିଷାଦ ଦୁଃଖ ଅଶେଷ l
କହିଲେ ଯଶୋଦା ବାଷ୍ପରୁଦ୍ଧ କଣ୍ଠେ
ଭୁଲିବୁନି ଗୋପପୁରୀ,
ଅଭାଗୀ ଜନନୀ ଯମୁନା ନଦୀକୁ
ନଯିବୁ ମନେ ପାଶୋରି l
କୃଷ୍ଣ କଥା ଦେଇ ଚାଲିଲେ ଆଗେଇ
କଣ୍ଟ କରି ତିନି ଦିନ,
ଅଷ୍ଟ ପାଟବଂଶୀ ଦ୍ୱାରିକା ନଗରେ
ଭୋଗିଲେ ନିଜ ଜୀବନ l
କୃଷ୍ଣ ବଂଶଧର କାଦମ୍ବିନୀ ରସେ
ହରାଇଲେ ନିଜ ମତି,
କୋକୁଆ ଭୟରେ ହଣାକଟା ହୋଇ
ନିଃଶେଷ ହେଲା ସେ ଜାତି l
ଭଗବାନ ହୋଇ ତଥାପି ଶ୍ରୀକୃଷ୍ଣ
ତେଜିଲେ ନିଜସ୍ୱ ପ୍ରାଣ,
ଶିଆଳି ଲତାରେ ମୃଗ କର୍ଣ୍ଣ ଭାବି
ବ୍ୟାଧ ପେଶିଥିଳା ବାଣ l
କୃଷ୍ଣ ପ୍ରତିଷ୍ଠିତ ଦ୍ୱାରିକା ନଗରୀ
ସାଗରେ ହୋଇଲା ଲୀନ,
କିନ୍ତୁ ଗୋପପୁରୀ ହସୁଛି ଏବେ ବି
ହସୁଥିବ ସବୁ ଦିନ l
ମାତୃଭୂମି ପ୍ରତି କଲେ ଅବିଚାର
ସ୍ୱଭାବ ହୁଏ ତା ନଷ୍ଟ,
ହୋଇପାରେ ନର ଅବା ଭଗବାନ
ପାଏ ସେ ଦାରୁଣ କଷ୍ଟ l

Writer's Details: କୌଶିକ କୁମାର ହୋତା,
ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ,
ରାଇରଙ୍ଗପୁର, ମୟୁରଭଞ୍ଜ l
Content Category:
Submission Date: Jul 03, 2019