ଜଗା ଆସୁଛି ରେ ଜଗା ଆସୁଛି ରେ
ରତନ ବେଦୀକୁ ତା'ର
ସାଥୀରେ ଭଗିନୀ ହଳଦୀ ମୁହିଁ ସେ
ବଳିଆ ବଡ଼ ଠାକୁର ।।୦।
ସଜ ହୋଇଲାଣି ନନ୍ଦିଘୋଷ ରଥ
ମନେପଡେ ଲକ୍ଷ୍ମୀ ମାଆଙ୍କୁ
ହେରାପଞ୍ଚମୀରେ ଦରଶନ ଦେଇ
କହିଛନ୍ତି ମନ କଥାକୁ
ଛପନ ପଉଟି ରାନ୍ଧଣା ପାଇଁକି
ସଜ ହେଲା ରୋଷଘର ।।୧।
"ମଣିମା ଶୁଣିମା", "ଜୟ ଜଗନ୍ନାଥ"
ଊର୍ଦ୍ଧ୍ବ ବାହୁ ହୋଇ ଭକତ
ଭଜନ କୀର୍ତ୍ତନ ସଙ୍ଗେ ହରିବୋଲ
ଶବଦେ କମ୍ପୁଛି ଜଗତ
ଝୁଲି ଝୁଲି ଆସେ ଭକତ ଗହଣେ
ଫେରିବାକୁ ତରତର ।।୨।
ଶରଧାବାଲିରେ ଗଡ଼େ ତିନି ରଥ
ଜନତା ସମୁଦ୍ର ଉଚ୍ଛୁଳେ
ଅଭିମାନିନୀ ସେ ମାଆ ମହାଲକ୍ଷ୍ମୀ
ମାନ ଭାଙ୍ଗି ଯିବ ଦେଉଳେ
ଭବ-ସାଗରରୁ ପାରିକରି ନେବ
ଭରସାଟି ଥିବ ଯାହାର ।।୩।

Writer's Details: ଘନଶ୍ୟାମ ସାହୁ, ବଇଣ୍ଡା, ଅନୁଗୋଳ
ସହ ସମ୍ପାଦକ --- ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା,
ପୋ:ଅ: -- କିଶୋର ଗଞ୍ଜ, ଜିଲ୍ଲା -- ଅନୁଗୋଳ,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭
Content Category:
Submission Date: Jul 12, 2019