ଟିପି ଟିପି ଝରେ ବରଷା ଧାର ,
ଛତା କରିଛି ମୁଁ ସାରୁ ପତର ।
ଆହା କି ମିଠା ,ପାଣିର ଛିଟା 
ଭାସିଯାଏ ମୋର ଡଙ୍ଗା ଦୁଇଟା ।

ବେଙ୍ଗ ବେଙ୍ଗୁଲୀଏ ଗାଆନ୍ତି ଗୀତ ,
ବରଷାଟି ପରା ତାଙ୍କରି ମିତ ।
ମାରନ୍ତି ଡିଆଁ ,ଆପଣା ଛାଆଁ
ଆଗରୁ ସେ ଲୁଚି ଥାଆନ୍ତି କିଆଁ !!

ସୁରୁଜଟି ଦୂର ଆକାଶେ ଥାଇ ,
ନଦୀ ସମୁଦ୍ରର ପାଣିକୁ ନେଇ ।
ବଉଦ କରି ,ଥାଏ ସେ ଧରି
ଶୀତଳ ହୋଇଲେ ପଡ଼ଇ ଝରି ।

କହୁଥିଲା ଭାଇ ବୁଝାଇ ଏହା ,
ବରଷା ଧାରାଟି ସବୁରି ସାହା ।
ତାହାରି ପାଇଁ ,ସବୁଜ ଭୂଇଁ 
ଜୀବଜଗତ ଯେ ଅଛନ୍ତି ଜୀଇଁ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।