ଅଭିମାନେ ପଦ୍ମାଳୟା ଲୁହକୁ ଗଡାଇ
କେଉଁ ଦୋଷେ ଦଣ୍ଡିଲ ହେ ବ୍ରହ୍ମାଣ୍ଡର ସାଇଁ।
କିବା ଅପରାଧେ ମୋତେ ଗଲ ଠକି ଦେଇ
ସାଥେ ନେଇଗଲ ତୁମେ ଭଗିନୀ ଓ ଭାଇ।
ଏଇଠି ଆସୁଛି କହି ପାଞ୍ଚ ଦିନ ହେଲା
ମୋହ କଥା ଥରେ କିବା ମନେ ନ ପଡିଲା।
ଏକଦା ମାର୍ଗଶୀରେ ଛାଡି ଯାଇଥିଲି
ପଶ୍ଚାତାପ କରିଥିଲ କ୍ଷମା କରିଦେଲି।
ସେଇବେଳ ରୋଷ କିବା ଏବେ ସୁଝାଇଲ
ଏତେ ବଡ଼ ଯାତ୍ରା କଲ ମୋତେ ଭୂଲିଗଲ।
ବୁଝିଲନି ତୁମେ ତୁମ ପ୍ରାଣସହୀ ମନ
କେମିତି କଠୋର ହେଲ ମୋର ପ୍ରାଣଧନ।
ଆସୁଛି ନନ୍ଦିଘୋଷ ରଥ ଭଗ୍ନ କରିବାକୁ
ପ୍ରସ୍ତୁତ ରୁହ ତୁମେ ଏ ଦଣ୍ଡ ଭୋଗିବାକୁ।
ଜଗାଇଛ ତୁମେ ସିନା ସାରଥୀ ଦାରୁକ
ଶୁଣିବିନି କିଛି ଆଜି ଭାଙ୍ଗି ଦେବି ଚକ।
ଭାରିଜା ମନ ସଦା ପତି ପାଶେ ଥାଏ
ପତି ହୋଇକି କେ ପତ୍ନୀକୁ ପର କରିଦିଏ।
ସ୍ଵାମୀ ବିନା ସ୍ତ୍ରୀର କିବା ସ୍ଥିତି ଥାଏ
ପତିକୁ ଦେବତା ସଦା ମଣୁଥାଏ ସିଏ।
ଶୂନ୍ୟ ଶୂନ୍ୟ ଲାଗେ ପ୍ରଭୂ ତୁମ ରତ୍ନବେଦୀ
ମହାଶୂନ୍ୟ ଲାଗେ କାହିଁ ମୋର ନିଜ ମତି।
ଭଲ ଗତି ଅଛି ଯଦି ଚାଲି ଆସ ଧାଇଁ
ନହେଲେ ପଛେ ଦୋଷ ମତେ ଦେବ ନାହିଁ।
ଛଳିଆ ପଣେ ପ୍ରଭୂ ତୁମେ ଆଗେ ଥିବ
କପଟିଆ ତୁମ ଠାରୁ ଆଉ କେ ନଥିବ।
ଭକତ ଯେ ତୁମ ବନ୍ଧୁ ତୁମେ ଭକତଙ୍କ ପାଇଁ
ବଡ଼ ଦାଣ୍ଡ ଦରଶନ ତୁମେ ଦିଅ ଯାଇ।
ସବୁ କିଛି ବୁଝୁଛି ମୁଁ ଅବୁଝା ନୁହଁଇ
ସିନ୍ଧୁ କନ୍ୟା ଅଟେ ମୋ ପାଶେ ସଂସ୍କାର ଅଛଇ।
ଆସ ଆସ ଜଗନ୍ନାଥ ଦେଉଳକୁ ବେଗି
ତୁମ ମହାଲକ୍ଷ୍ମୀ ବସିଛି ବାଟ ତୁମ ଜଗି।

Writer's Details: Tapaswini Dash Sarangi,Bangalore
Content Category:
Submission Date: Jul 08, 2019