
ଝରାଉଛି ଆଖି ବିରହ ତୃଷା
ବସନ୍ତ ବିମୁଖ ମାଡ଼ୁନାହିଁ ପାଖ
କୃଷ୍ଣଚୂଡ଼ା ମନେ ଅସୀମ ଆଶା...
ଗହନ ମନର ବେଦନା ବିଧୁର
ବୁଝିଛିକି କେବେ ଚଇତି ତାତି
ମନତଳେ ଆଶା ଅତୁଟ ଭରସା
ସାଉଁଟି ରଖିଛି ସବୁ ସାଇତି...
ଭୁଲିବି କେମିତି ସେଦିନର ସ୍ମୃତି
ଗୋଟି ଗୋଟି ସବୁ ପଡୁଛି ମନେ
ସାତରଙ୍ଗ ବୋଳି ଖେଳୁଥିଲେ ହୋଲି
ହଜିଛି ଠିକଣା ଖୋଜେ ଗୋପନେ...
ଲାଗୁଅଛି ଏକା ସବୁ ରଙ୍ଗ ଫିକା
ଫଗୁ ଓ ଫଗୁଣ ବେରଙ୍ଗ ସାଜି
ସୁନେଲି ସୂରୁଯ ବିଛେଇ ମୁରୁଜ
ତମସା ବୁକୁରେ ଯାଇଛି ହଜି...
କାହାସାଥେ ଆଜି ରଙ୍ଗେ ଭିଜି ଭିଜି
ଖେଳିବି ଅବିର ଲୁଚାଇ ମୁହଁ
ସ୍ମୃତିର ଆଇନା ହେଇଗଲା ଚୂନା
ଉଦାସ ନୟନ ଢାଳୁଛି ଲୁହ...
