
ଜୟ ଜୟ ଶିଵ ଶମ୍ଭୁ ଅମୂର୍ତ୍ତ ରେ ମୂର୍ତ୍ତ
ରହିଅଛ ତୁମେ ପଞ୍ଚ ଭୁତେ ପରିବ୍ୟାପ୍ତ ।।
ଅଚିନ୍ତ୍ୟ ଅଜଃ ଅକ୍ଷଗୁଣ ଭାଲ ନେତ୍ର
ମହାକୋପୀ ଉଗ୍ରତେଜା ତୁମେ ଲଲାଟକ୍ଷ ।।
ଜୟ ଶିଵ ସଦାଶିବ ତୁମେ ଯେ ବୈରାଗୀ
ଭୂତଗଣ ସଙ୍ଗେ ସଦା ହୋଇଥାଅ ଯୋଗୀ ।।
ଶ୍ମଶାନବାସୀ ତୁମେ ଦେବ ମହାଦେବ
ଭସ୍ମାଭୁତ ଚେକିତାନ ତୁମେ ଯେ ଭୈରବ ।।
ଫଣୀନ୍ଦ୍ର ଫଣୀନାଥ ତୁମେ ଫଣୀଶ୍ବର
ଭୂତନାଥ ଭୋଳାନାଥ ତୁମେ ଭୂତେଶ୍ୱର ।।
ଦିଗମ୍ବର ସର୍ବେଶ୍ୱର ତୁମେ ଯେ ମହେଶ
ସୋମେଶ୍ୱର ଗଂଗାଧର ତୁମେ ଆଶୁତୋଷ ।।
ଉମାପତି ଗୌରୀପତି ହେ ପାର୍ବତୀ ପତି
ଶିଵ ଶମ୍ଭୁ ଶଙ୍କର ଓଁକାର ପଶୁପତି ।।
ରୁଦ୍ର ସର୍ବେଶ୍ୱର ତୁମେ ହର ମହେଶ୍ବର
ଆଧିଭୂତ ମୃତ୍ୟୁଞ୍ଜୟ ହେ ଡମ୍ବରୁଧର ।।
ଚନ୍ଦ୍ରମୌଳି ଚନ୍ଦ୍ରଚୁଡ ତୁମେ ଚନ୍ଦ୍ରଶେଖର
ଲଲାଟକ୍ଷ ନୀଳକଣ୍ଠ ତୁମେ ଶିଵଶଙ୍କର ।।
ତ୍ରିଶୂଳଧାରୀ ପିନାକ ପାଣି କୈଳାଶ ପତି
ତ୍ରିପୁରାରୀ ତ୍ରିଲୋଚନ ତୁମେ ଗିରିଜାପତି ।।
ଶ୍ମଶାନବାସୀ ତୁମେ ଦେବ ଦେବ ମହାଦେବ
ଭୂତଗଣ ଥାନ୍ତି ସଙ୍ଗେ ତୁମେ ଯେ ଭୈରବ ।।
ଜୟ ଶିଵ ସ୍ୱୟଂଭୁ ହେ ତୁମେ ଆଦିରୋହ
ତୁମ ଆଦି ଅନ୍ତ ଖୋଜି କେ ପାରିବ କୁହ ।।
ଚତୁର୍ଦ୍ଦଶୀ ତିଥି ଅଟେ ତୁମ ପ୍ରିୟ ଦିବସ
ପୂଜା କରନ୍ତି ସକଳେ କରିବାକୁ ତୋଷ ।।
ଆତ୍ମା ର ଉଦ୍ଧାର ପାଇଁ ଓଁକାର ଧ୍ୟାନ
ବସିଛନ୍ତି କୈଳାଶ ରେ ପାର୍ବତୀ ରମଣ ।।
ନାନା ବିଧ ଉପଚାରେ ପୂଜନ୍ତି ଶଙ୍କର
ଲଭିବାକୁ ଅତିଶୀଘ୍ର ସୁଖ ସଂସାରର ।।
ଶଙ୍କର ଙ୍କୁ ପୂଜି ନିତି ଶିବାର୍ପଣ କରି
ସତ୍ୟ ସ୍ବରୂପ କୁ ସର୍ବେ ଜ୍ଞାନମତେ ଧରି ।।
ତ୍ୟାଗ କରି ଲୋଭ ମୋହ କାମନା ବାସନା
ସର୍ଵ ଘଟେ ଆତ୍ମା ବସେ ସର୍ବେ ଶୁଭମନା ।।
ଅର୍ଦ୍ଧନାରୀଶ୍ୱର ରୂପ ଧରିଣ ସଂସାରେ
ଦିଅନ୍ତି ସନ୍ଦେଶ ଶିଵଏ ମର୍ତ୍ତ୍ୟ ଜଗତେ ।।
ଶକ୍ତି ବିନା ନାହିଁ ସ୍ଥିତି ଜଗତ ରେ ଜାଣ
ନାରୀ ଙ୍କୁ ସମ୍ମାନ ଦେଇ କରିଯିବା ପୁଣ୍ୟ ।।
ଜ୍ଞାନୀ ଗୁଣୀ ଜନେ ଏହା ଚିତ୍ତେ ଧରି
ସଂସାରେ ବିଚର ଶିଵତତ୍ତ୍ୱ ଅନୁସରି ।।
ସିପ୍ରା ନାମତା (ନମ୍ରତା)
ତୁଳସୀଚୌରା, ବାରିପଦା, ମୟୁରଭଞ୍ଜ
