
ଦିବ୍ୟଜୀବନ ପଥ ଅନୁସରି
କାମନାବିହୀନ ଦିବ୍ୟକର୍ମରେ ନିୟୋଜିତ
ଏପରି କର୍ମ ଅକର୍ମରେ ଗଣା ହୋଇଥାଏ
ଯାହା ଥାଏ ସଖା ! ପ୍ରତିକ୍ରିୟା ରହିତ ।
ଫଳକାମନାକୁ ହୃଦରୁ ବରଜି
ଦୂରେ ଫିଙ୍ଗିଦେଇ କର୍ତ୍ତା ହେବାର ଅଭିମାନ
ଜ୍ଞାନ-ଅଗ୍ନିରେ ଆହୂତି ଦିଏ ଯେ କର୍ମ ସବୁ
ପଣ୍ଡିତ ବୋଲି କହିଥାନ୍ତି ତାଙ୍କୁ ବିବୁଧ ଜନ ।
ସକଳ କର୍ମ କରଇ ସେ ଜନ
ଆଶ୍ରୟହୀନ ସ୍ବତଃପ୍ରବୃତ୍ତ ହୋଇ
ନିରାସକ୍ତ ଆଉ ନିଷ୍କାମ ହୃଦତଳେ
ଫଳଲାଭ ଆଶା ବହୁଦୂରେ ଦିଏ ଥୋଇ ।
ଚିତ୍ତ ସଂଯମ, କାମନାବିହୀନ
ତ୍ୟାଗକରି ନିଜ ଅଧିକାର, ମାଲିକାନା
ଶରୀର ରକ୍ଷା, ଆତ୍ମା ଉନ୍ନତି ପାଇଁ
କର୍ମ ଯେ କରେ ହୁଏନା ପାପୀରେ ଗଣା ।
ସିଦ୍ଧି-ଅସିଦ୍ଧି ଜୟ-ପରାଜୟେ ସ୍ଥିର ଆଉ ଅଚଞ୍ଚଳ
ଦ୍ବନ୍ଦ୍ବରହିତ, ଈର୍ଷାକାତରହୀନ
ସ୍ବଳ୍ପପ୍ରାପ୍ତିକୁ ବିଷ୍ଣୁ ପ୍ରସାଦ ମଣେ
ସକଳ କର୍ମେ ରତ ହେଲେ ମଧ୍ୟ
ହୋଇଥାଏ ପାପହୀନ ।
(୪ର୍ଥ ଅଧ୍ୟାୟ, ପଦ-୧୮,୧୯,୨୦,୨୧,୨୨)
