ବିଶ୍ଵ ବ୍ରହ୍ମାଣ୍ଡ ରେ ଭାରତ ବର୍ଷରେ
ତା ମଧ୍ୟେ ଉତ୍କଳ ଦେଶ,
ପୂଣ୍ୟ ପ୍ରସବିନୀ ପବିତ୍ର ଦାୟୀନି
ପାପ ବିନାଶିନେ ଯଶ.
କଳିଙ୍ଗୁ ଉତ୍କଳ, ଉତ୍କଳ ରୁ ଓଡ଼୍ର,
ଓଡ଼୍ର ରୁ ଓଡିଶା ହୋଇ,
ଗଙ୍ଗାଠାରୁ ଗୋଦାବରୀ ପାଦ ଯାଏଁ
ଏ ପୂଣ୍ୟ ଉତ୍କଳ ଭୂଇଁ.
ହଜି ଯାଇଅଛି ଖୋଜିଲା ମାଣିକ୍ୟ
ଖାଲି ରହିଅଛି ପେଢ଼ି,
କନାଖଣ୍ଡି ସିନା ଦେଖିବାକୁ ମିଳେ
କର୍ପୂର ଯାଇଛି ଉଡ଼ି.
ନାହିଁ ଆଜି ସେଇ ପୁରୁବ ଗୌରବ
ହଜୁଛି ପୁରୁଣା ଯଶ,
କିରତୀ ଖାଲି ଯା କାହାଣୀ ସାଜୁଛି
ବିଜ୍ଞାନେ ଜଗତ ବଶ.
କାଳର କରାଳ ଗ୍ରାସ ବଳେ ସବୁ
ବୁଡ଼ୁଛି ପୁର୍ବ ସଂସ୍କୃତି,
ବିଜ୍ଞାନର ବଳେ ଉଚ୍ଚଶିକ୍ଷା ଫଳେ
କିଏ କାହାକୁ ଖୋଜୁଛି.
ଯାର ସୁତ ବୀର ଓଡ଼ିଆ ସୈନିକ
ନିକମା ନଥିଲା ମନେ,
ପଛଘୁଞ୍ଚା ନାହିଁ ବୀରର ଜାତକେ
ଦେଖାଇ ଥିଲେ ସେ ଦିନେ.
ଯେଉଁ ମାଟି କଳା କାରିଗରୀ କୃତି
ବିଶ୍ୱ ଦରବାରେ ଲୋଭା,
ଯେଉଁ ମାଟି ପୁଅ ବୀରତ୍ୱ ଆଗରେ
ବ୍ରିଟିଶ ହୋଇଛି କାବା.
ଯେଉଁ ପୂଣ୍ୟଭୂମି ପବିତ୍ର ପୀଠରେ
ସ୍ଵୟଂ ଜଗନ୍ନାଥ ବିଜେ,
ଯାହାରି ସଂସ୍କୃତି ସାହିତ୍ୟ ସଉଧ
ଜନ ଜଗତ ବିରାଜେ.
ଭଞ୍ଜ, ଗଙ୍ଗାଧର, ବରାହ ମିହିର,
ମାୟାଧର, ଭୀମଭୋଇ,
ବକ୍ସି ଜଗବନ୍ଧୁ, ଜୟୀରାଜଗୁରୁ
ମଧୁ ଗୋପବନ୍ଧୁ କାହିଁ.
ଯଯାତି କେଶରୀ, ସେ ସୁଭାଷ ଚନ୍ଦ୍ର
କୁନ୍ତଳା କୁମାରୀ ସାଥେ,
ବଳଦେବ ରଥ, ଭକ୍ତ ସାଲବେଗ
ଦିନବନ୍ଧୁ, ଜଗନ୍ନାଥେ.
ଯେତେ ଯେତେ ଅବା ତତ୍କାଳ ପୁରୁଷ
ଉତ୍କଳ ସନ୍ତାନ ଗଣ,
ରଖି ଯାଇଛନ୍ତି କୀରତି ଗୌରବ
କଳା କାରିଗରୀ ମାନ୍ୟ.
ରାଜା ଗଜପତି, ଅଶୋକଙ୍କ କୀର୍ତ୍ତି,
ବାରଶ ବଢ଼େଇ ଦୁଃଖ,
ଆଜି ବି ରହିଛି ପୁରୁବ ସ୍ଥାପତ୍ୟ
ଦର୍ଶନେ ଅମାପ ସୁଖ.
ଉତ୍କଳ ସାହିତ୍ୟ ସଂସ୍କୃତି ସଂସ୍କାର
ବିଶ୍ଵ ଐତିହ୍ୟ ପସରା,
ବାରବାଟୀ ଦୁର୍ଗ ଜଉଗଡ଼ ଆଉ
ପୋତାଗଡ଼ ଯହିଁ ଭରା.
ବଙ୍ଗୋପସାଗର କୂଳରେ ସୁନ୍ଦର
ପବିତ୍ର ଉତ୍କଳ ଭୂଇଁ,
ମହାନଦୀ ଯାର ଶୋଭା କଣ୍ଠହାର
(ବହେ) ଗୋଦାବରୀ ପାଦ ଛୁଇଁ.
ଦେଓମାଳୀ, ଗୁପ୍ତେଶ୍ଵର, କୋଣାରକ,
ବୀରଜା, ସମଲେଶ୍ଵରୀ,
ନୀଳମାଧବ ଓ ଲିଙ୍ଗରାଜ ପୁଣି
ସେଇ କପିଳାସ ଗିରି.
ପୂଣ୍ୟତୀର୍ଥ, ପୂଣ୍ୟପ୍ଲୋତ, ପୂଣ୍ୟଗର୍ଭା,
ପୂଣ୍ୟପୀଠ, ପୂଣ୍ୟଦାୟୀ,
ବୀର ପ୍ରସବିନୀ, ଚୀର ଗୌରବିତା,
ଏ ଆମ ପବିତ୍ର ଭୂଇଁ.
ହେଜରେ ହେଜରେ ପୁରୁବ ଗୌରବ
ଜାଗ ରେ ଜାଗ ରେ ସର୍ବେ,
କୁହ ରେ ସରବେ ଉତ୍କଳ ସନ୍ତାନ
ମୋ ଭାଷା ଓଡ଼ିଆ ଗର୍ବେ.
---------------------------------------------------
ବନ୍ଦେ ଉତ୍କଳ ଜନନୀ
÷÷÷÷÷÷÷÷÷🇮🇳🇮🇳🇮🇳÷÷÷÷÷÷÷÷÷
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ
କୋରାପୁଟ
9124049129
