
ଚାଉମିନ ମାଗି ଖାଆରେ
ବୋଉ ହାତରନ୍ଧା ଆଉଟଡେଟେଡ
ଫାଷ୍ଟ ଫୁଡ କରେ ବାଇରେ ।
ନେମ୍ବୁପାଣି ଆଉ। ପିଏନା ଅତିଥି
ଥଣ୍ଡା କିଣିଆଣି ଦେଉରେ
ପଣାପାଣି ଦେଲେ ପ୍ରେଷ୍ଟିଜି ଲିଇକି
ଵିଦେଶୀ କୁମ୍ପାନୀ ପୋଷରେ ।
ସଂଜରେ ଶୁଭୁନି ନବାକ୍ଷରୀ ଛନ୍ଦ
ସାଧୁବାଣୀ ଶୁଣୁ ଟିଭିରେ
ଘୁଡୁକି ଦୁଆରୀ ପାଲା ଦାସକାଠି
ହଜିଯିବ କିଛି ଦିନରେ ।
ମାଳମାଳ ବହି ପାଠକ ଦୁର୍ବଳ
ରାଜଧାନୀ ବହି ମେଳାରେ
ଆଇଟମ ଗାର୍ଲ ଦର୍ଶକ ସବଳ
ଖଣ୍ଡଗିରି ମାଘ ମଞ୍ଚରେ ।
ଫଟା ଜିନପେଣ୍ଟ କଟା ଟପ ପିନ୍ଧି
ଷ୍ଟଲ ଘୋଡାଇଛି ମୁହଁରେ
ବାଇକି ପଛରେ ବସିଯାଏ ନନି
ପାରିବେନି କେହି ଚିହ୍ନିରେ ।
ବିନା ହେଲମେଟ ଡ୍ରାଇଭ କରିବା
କ୍ରେଡିଟି ମାରିବା ଆଳରେ
କାନ୍ଧ କାନ ମଧ୍ଯେ ମୋବାଇଲ ଜାକି
ଫ୍ରେମାଳାପ କରୁ ଥାଏରେ ।
ନିଜେ ଫଟ ହବ ଅନ୍ଯକୁ ମାରିବ
ଧନ୍ୟ ପିତା ଧନ୍ୟ ମାତାରେ
ଧନ୍ୟ ତାର ଗୁରୁ ଧନ୍ୟ ଗାଲଫେଣ୍ଡ
ସଂସ୍କାର ସଂସ୍କୃତି ଧନ୍ଯରେ ।
ସିସିଟିଭି ତମେ ଅଯଥା ଲଗାଅ
ଅଧ୍ଯାଦେଶ ଜାରି କରରେ
ନକଲ କରିବା ଆମ ଅଧିକାର
ଭଲରେ ହେଉ ବା ମନ୍ଦରେ ।
ଋଣକରି ଆମେ ଘିଅ ପିଆଉଚୁ
ଯୋଜନା କରୁଚୁ କେତେରେ
ଦେଶସେବା ଆମ ଜୀବନର ବ୍ରତ
ଦେଶପାଇଁ ପ୍ରାଣ ଦବୁରେ ।
ଟିକଟ କଟିଲେ ଦଳ ଛାଡିଦବୁ
ମିଶିଯିବୁ ଅନ୍ୟ ଦଳରେ
କାଲି ଥିଲା ବାପା ଆଜି ସିଏ ଶଳା
ସବୁ ଚଳେ ରାଜନୀତିରେ ।
ଗରିବୀ ହଟିବ ନାରୀକୁ ସୁରକ୍ଷା
ଚାଷୀ ଋଣ ଛାଡ ହେବରେ
ହଟନ୍ତି ଗରିବ ମରନ୍ତି ନିର୍ଭୟା
ବିଷପିଇ ଚାଷୀ ମରେରେ ।
ମିଳିବ ଚାକିରୀ ମିଳିବ ମଜୁରୀ
ଯୁବା ସପ୍ନ ଦେଖେ ଦିନରେ
ପଙ୍କ ଫିଙ୍ଗାଫିଙ୍ଗି ସେନା'କୁ ସଂଦେହ
ତବ ଶୁଭ ନାମ ଜାଗେରେ ।
ବାକ୍ଯବୀର ନୁହେଁ କର୍ମବୀର ହେଲେ
ପ୍ରଗତି ଦେଶର ହବରେ
ଯଦି କଥାକୁହା କପିଳା ହୋଇବ
କାଶୀ ଯିବ ଭାସି ନାସି'ରେ ।
ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ର ଉ ପ୍ରା ବିଦ୍ୟାଳୟ
