
ଆଜି ରାତିରେ କ'ଣ ଘଟିବ କିଏ ଜାଣେ !
କିନ୍ତୁ ଏହା ସତ୍ୟ ଯେ କିଛି ନା କିଛି ନିଶ୍ଚୟ
ଘଟିବ ଆଜି ରାତିରେ ।
ଆଜି ରାତିରେ କିଏ ଜନ୍ମ ହୋଇପାରେ
କିଏ ବୁଜି ଦେଇପାରେ ଆଖି
କିଏ ସମର୍ପି ଦେଇପାରେ ଦେହ
କିଏ ହୋଇପାରେ ଧର୍ଷିତା ।
ଆଜି ରାତିରେ ହୋଇପାରେ କେଉଁଠି ଚୋରୀ, ଲୁଣ୍ଠନ କି ମର୍ଡର,
ଭଙ୍ଗା ହୋଇପାରେ ଏଟିମ କି ବ୍ୟାଙ୍କ,
ହୋଇପାରେ ରେଳ କି ବସ ଦୁର୍ଘଟଣା,
କାହା ସାଧନାର ସିଦ୍ଧି ବି ହୋଇପାରେ ଆଜି ରାତିରେ ।
କିଏ ଜାଣେ କ'ଣ ଘଟିବ ଆଜି ରାତିରେ !
ରାତିଟା ଶୋଇବା ପାଇଁ
ଅଥଚ କିଛି ଅନିଦ୍ରା ରହିବେ ଆଜି ରାତିରେ
କିଏ ରୋଗରେ, କିଏ ଭୋକରେ ତ କିଏ ରାତି ଡ୍ୟୁଟିରେ ଥିବାରୁ ଶୋଇପାରିବେନି ଆଜି ରାତିରେ ।
ଆସ.... ପ୍ରାର୍ଥନା କରିବା..
କିଛି ଅଘଟଣ ନଘଟୁ ଆଜି ରାତିରେ ।
ଯେଉଁମାନେ ଶୋଇବେ ସେମାନେ ଅନ୍ତତଃ ଟିକେ ଶାନ୍ତିରେ
ଶୋଇପାରନ୍ତୁ କାଲି ସକାଳ ପର୍ଯ୍ୟନ୍ତ ।
'ସମାପ୍ତ'
ଶ୍ରୀ ସତ୍ୟବ୍ରତ ସାହୁ
ପଲ୍ଲାସାହି, କମାଳପୁର,
ଅହିୟାସ, ଯାଜପୁର- ୭୫୫୦୩୬
