
ସାର ଖୋଜୁ ଖୋଜୁ
ସରିବାକୁ ବସିଲାଣି
ପୁରା ମହାକାବ୍ୟ
ବୋଧହୁଏ ମିଳନ
ପର୍ବରେ ପାର୍ବତୀ
ଅସାରର ଆସ୍ତରଣ
ମାଟିରେ, ପବନରେ
ଭିତରେ, ବାହାରେ ସବୁଠି
ଘନ କୁହୁଡି
ମିଛର, ମାୟାର
ଲାଂଛାନାର,. ଯାତନାର
ଅଶାନ୍ତିର, ଅପମାନର
ଟୋପା ଟୋପା ଖସିପଡ଼େ
ମୁହୂର୍ତ୍ତକୁ ମୁହୂର୍ତ୍ତ
ବିଶ୍ୱାସର ଶିଉଳିଆ ପାଣିରେ
ସଫା ପ୍ରେମର ପ୍ରତିବିମ୍ବ ଅସ୍ପଷ୍ଟ
ପରିତାପର ପଚାଗନ୍ଧରେ
ହେନା ଜୁଇ ଜାଇ
ମଲ୍ଲୀ ତମାଳର ବାସ୍ନା
ଦରାଣ୍ଡୁ ଦରାଣ୍ଡୁ
ଦଲକାଏ ପବନ
ନାସାପୁଟରେ ଭରିଦେଲା ରୋମାଞ୍ଚ
ଏଇ ତା ହେଲେ ସାର
ଘୋର ତପାନ୍ତରରେ
ଫଳକୁ ନିର୍ଲୋଭ
ଶ୍ମଶାନକୁ ,ପାଉଁଶକୁ
ପିଶାଚକୁ ,ପ୍ରେତକୁ
ସର୍ପକୁ ,ଏକାନ୍ତକୁ
ଶ୍ରେୟ ଧ୍ୟାୟୀ
ଅନ୍ତସ୍ରାବୀ ମଦଗନ୍ଧରୁ
ସୁବାସ ଓଟାରି ଆଣି
ଭରିଦେବାକୁ ହେବ
ଜୀବନରେ
ହିଲ୍ଲୋଳ ପାଇଁ
ସପ୍ତମ ସର୍ଗ ପର୍ଯ୍ୟନ୍ତ
ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀ ବିହାର ମହିଳା ମହାବିଦ୍ୟାଳୟ, କଟକ
