ମରାଳ ବାହିନୀ ମାଆ - ବିଷ୍ଣୁ ପ୍ରସାଦ ମିଶ୍ର

0

ଶିଦ୍ଧି ପ୍ରଦାୟିନୀ ବିଷ୍ଣୁ ପାଟରାଣୀ
ଅଯୋନି ସଂଭୂତା ତୁହି,
ବ୍ରହ୍ମାଙ୍କ ମାନସ ପୁତ୍ରୀ ଭାବେ ଖ୍ୟାତ
ଓଁ''କାରୁ ପ୍ରକଟ ହୋଇ.
ପାଦେ ଅଲକତ ହସ୍ତେ କାବ୍ୟ ଶାସ୍ତ୍ର
ବିପଞ୍ଚି ଧାରିଣୀ ମାଆ,
ଶ୍ଵେତ ବସ୍ତ୍ରାବୃତା ମୁକ୍ତା ପନ୍ତି ଗଳେ
ମରାଳ ବାହିନୀ କାୟା.
ଗଳା ଦେଶେ ଗଜମୋତି ମୁକ୍ତାହାର
ହର୍ଷିତା ବଦନୀ ଗାତ୍ର,
କଜ୍ଜଳ ଲୋଚନା ଚନ୍ଦନ ଚର୍ଚ୍ଚିତା
କାବ୍ୟ ଗୁଚ୍ଛ ଶୋଭା ହସ୍ତ.
କବି କୂଳେ ମାତା ଭବ୍ୟ ଜ୍ଞାନ ଦାତା
ଶିଦ୍ଧିଦାତ୍ରୀ ଭଗବତୀ,
ଭୂବନ ବନ୍ଦିନୀ ଗାୟତ୍ରୀ ଭାଷିଣୀ
ବେଦମାତା ସରସ୍ଵତୀ.
ଗାନ୍ଧାର ରାଗୀଣି ଅନନ୍ତ ମୋହିନୀ
ଜଗତ କଲ୍ୟାଣ ମୟୀ,
ମହା ସରସ୍ଵତୀ ନାମରେ ବିଦିତା
ମାନବେ ପୂଜିତା ତୁହି.
ନୀଳ କୋକନଦେ ପ୍ରୀୟ ଅତି ମାଗୋ
ସତୀ ପଣରେ ବନ୍ଦିତା,
ଶାସ୍ତ୍ର ଇତିହାସ କାବ୍ୟ ଜଗତରେ
ଜନନୀ ରୂପରେ ଖ୍ୟାତା.
ରିଦ୍ଧି ସିଦ୍ଧି ଦାନୀ ବୁଦ୍ଧି ପ୍ରଦାୟିନୀ
ଦାସେ ପଦେ ଦିଅ ଆଶ୍ରା,
ସଦଜ୍ଞାନ ଜାଗୁ ମାନବ ସମାଜେ
ଘୁଞ୍ଚୁ ଉତ୍କଳୁ ଦୁର୍ଦ୍ଦଶା.

ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ

Post a Comment

0Comments
Post a Comment (0)