କୁସୁମରାଣୀ - ନାରାୟଣ ଚନ୍ଦ୍ର ସେନାପତି

0

ହେ କୁସୁମରାଣୀ
ସୌନ୍ଦର୍ଯ୍ୟର ମୁକୁଟ ପିନ୍ଧି
ତୁ ସିନା ମୁରୁକି ହସା ମାରୁଛୁ
ଆକର୍ଷଣର ଉଦ୍ୟାନରେ
ତୋର ମହମହ ବାସନାଟା
ବିସରି ଘାଇଲା କରୁଛି ପ୍ରେମୀଙ୍କୁ
ସତେ ଯେମିତି ତୋର କଅଁଳ ପରଶ
ଚାହିଁ ରହିଛି ପ୍ରେମର ମିଠା ଛୁଆଁକୁ।
ତୋ ତ୍ୟାଗପୁତ ବଳିଦାନର ଲହୁ
ଯେବେ ଛୁଏଁ ସରାଗରେ ସକଳ ଜୀବଙ୍କୁ
ଆନନ୍ଦେ ମସଗୁଲ ହୁଅନ୍ତି
କରି ସଜ ଆଘ୍ରାଣ
ତୋତେ ବି କରି ଅପୂର୍ବ ଉପହାର
ପ୍ରେମୀଯୁଗଳ ଚଢନ୍ତି ସ୍ୱପ୍ନର ନିଶୁଣୀରେ
ଅର୍ଜନ କରନ୍ତି ପ୍ରେମର ଅକଳନ ଅମୁଲ୍ୟ ରତ୍ନ
ସାଇତି ରଖନ୍ତି ହୃଦୟର ନିଭୃତ କୋଣରେ।
ତୋର ଉତ୍ସାହ ଉଦ୍ଦୀପନାର ମଶାଲ
ଜଳାଏ ଆଳସ୍ୟକୁ ଯେବେ କର୍ମଠର ଶିଖାରେ
ବାରମ୍ବାର ଶୁଣୁଥାଏ
ଜୀବନ ଗୋଲାପର ଶଯ୍ୟା ନୁହଁ
ଶିଖାଏ ଗଢିବାକୁ ସଫଳତାର ସୌଧ
ଦଗ୍ଧ କରି ସଂଘର୍ଷର ସଂଗ୍ରାମରେ
ସ୍ମରି ସେ ଅମୃତ ବାଣୀ
ପାଇବାକୁ ହେଲେ ଗୋଲାପ
ସହ୍ୟ କରିବାକୁ ହୁଏ କଣ୍ଟାର ଆଘାତ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0Comments
Post a Comment (0)