ବସନ୍ତେ ପ୍ରଫୁଲ୍ଲ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

• ମାଘ ଶେଷହେଲା ଶୀତ ଧୀରେ ଧୀରେ  ଛାଡ଼ି ଛାଡି ଯାଏ ମହୀ
• ଦକ୍ଷିଣ ଦିଗରୁ ମଳୟ ଗିରିରୁ               ମଳୟ ଆସଇ ବହି   ।।
• ବକୁଳ ପେନ୍ଥାରେ ଚୁତଫଳ ଚଣା        ବସନ୍ତ ରାଜା ଆଗମ
• କହି ପରଭୃତ ସୁ-ମଧୁର  ରାଗେ          ତୋଳଇ ପଞ୍ଚମ ତାନ   ।।
•
• ରଙ୍ଗ ବେରଙ୍ଗ ର ନାନାଜାତି ସୁମ          ବାଢିଛି ଶୋଭା ସମ୍ଭାର
• ଦିଶଇ ପ୍ରକୃତି ରାଣୀ ଗଭାମଣ୍ଡି              ଆସେ କି ବସନ୍ତ କାଳ   ।।
• କାକକୃଷ୍ଣ କାଚକନ୍ଦୁକ ଜିବନ       ସର, ହ୍ରଦ, ନଦ, ନଦୀ
• ଗରଭେ ଧରିଛି ଅନିନ୍ଦ୍ୟ ସୁନ୍ଦର     ଦିଶଇ ବିଚିତ୍ର ଛବି ।।
•
• ସରେ ସରୋରୁହ ବିମଳ କୋମଳ    ଦୁଧ ଅଳତାର ରଙ୍ଗ
• ସଙ୍ଗେ ତା ମଧୁର ସଉରଭ ବାଣ୍ଟେ   ଉଡେ ମତୁଆଲା ଭୃଙ୍ଗ ।।
• ସବୁଜ ବନାନୀ ନବ ପଲ୍ଲବୀତ     ପଲ୍ଲବେ ହୋଇଛି ଉଭା
• ସତେକି ବସନ୍ତ ଆଗମେ ଧରଣୀ    ପିନ୍ଧିଛି କି ଛିଟ ଲୁଗା  ।।
•
• ବସନ୍ତ ସମୟ ବଡ଼ ରସମୟ       ଚମ୍ପା, ନାଗେଶ୍ଵର ଯୁଇ
• ବକୁଳ କୁଞ୍ଜରେ ରାଶ କୁଞ୍ଜକେଳୀ    ମାଧବଙ୍କ ସଙ୍ଗେ ରାଇ ।।
• ହଳଦୀବସନ୍ତ କୁମ୍ଭାଟୁଆ ହୁଟ       ଶବଦେ ମହୀ ଉଛୁଳେ
• ବସନ୍ତ ଆଗମେ ଶବ୍ଦାୟିତ ଧରା     ସୁମଧୁର କୋଳାହଳେ  ।।
•
• ଫଗୁଣ ମାସରେ ଅବିର ରଙ୍ଗରେ    ରଙ୍ଗ ପିଚକାରୀ ଖେଳି
• ବସନ୍ତ ଆସିଲା ରାଧାରାଣୀ ସଙ୍ଗେ   ଦୋଳି ଖେଳେ ବନମାଳୀ  ।।
• କୃଷ୍ଣଚୁଡା ଆଉ ପଳାଶ ମଝିରେ    ସୁନାରୀ ସୁନେଲି ଫୁଲ
• ଫୁଟି ଦିଶୁଅଛି ବସନ୍ତ ରାଜାନ     ପାଟଛତ୍ର ସମତୁଲ  ।।
•
• ଚଇତି ଘୋଡ଼ା ର‌ ନାଚରେ ଏମନ  ଚଇତାଳି ଗୀତ ଗାଏ
• ସେଇଗୀତ ତାଳେ ବସନ୍ତ ରାଜନ   ଧରାରୁ ବିଦାୟ ନିଏ ।।
• ଏମନ୍ତ ବସନ୍ତ କରେ ରସାଣିତ    ପ୍ରକୃତି ବିଭୋର ହୁଏ
• ଋତୁଚକ୍ରରେ ଏ ଅପୂର୍ବ ଭାରତୀ   ଗୀତ ରେ ପ୍ରଫୁଲ୍ଲ କହେ  ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0Comments
Post a Comment (0)