କିଏ ପୋଛିବ ଏ ମାଆର ଲୁହ - ନାରାୟଣ ଚନ୍ଦ୍ର ସେନାପତି

0

ଦିଅଁ ଦେବତାଙ୍କ ଆଶୀଷରୁ ଜନ୍ମି
ହସୁଥିଲା ଶିଶୁକନ୍ୟା
କିଏ ଜାଣିଥିଲା ଅଭାବ ନଦୀରେ
ଆସିବ ଯେ ମହାବନ୍ୟା ।
ବାଲ୍ୟ ବିବାହରେ ଛନ୍ଦିହୋଇ ଆସି
ଅଭାବର କଷାଘାତେ
ଦୁଇଓଳି ଖାଦ୍ୟ ତା ପାଇଁ ସପନ
ଭାଗ୍ୟ ଖେଳିଲା ତା ସାଥେ ।
ଜନମ ଦେଲା ସେ ହତଭାଗା ଶିଶୁ
ଦୋଳି ତାର ଭାଗ୍ୟେ କାହିଁ
ମା'ର କାନିରେ ଝୁଲି ଝୁଲି ଖେଳେ
ଖରା ବର୍ଷା ଶୀତ ଖାଇ।
ପେଟ ଚାଖଣ୍ଡେକୁ ଓଦାରଖିବ ସେ
ପାଳିବ ଗେହ୍ଲା ଧନକୁ
ଜଙ୍ଗଲରୁ କାଠ କାଟି ମୁଣ୍ଡେ ବୋହି
ବୁଲେ ସେ ବାର ଦ୍ୱାରକୁ।
କେତେ କଷ୍ଟ ସହି ସମାଜକୁ ଦିଏ
ମାଗଣାରେ ନାଗରିକ
ସେହି ନାଗରିକ ରକ୍ତ ମାଂସ ଦେଇ
ରଖଇ ଦେଶର ଟେକ ।
କେତେ ସଙ୍ଗଠନ ବାହାସ୍ଫୋଟ ମାରି
କୁହନ୍ତି ନାରୀ ନମସ୍ୟା
ତାଦୁଃଖ ବୁଝିବାକୁ କେହିଜଣେ ନାହିଁ
କଲେ ସେ ଶତ ତପସ୍ୟା।
ସମାଜ କଣ୍ଠରୁ ଲମ୍ବା ଭାଷଣକୁ
ଶୁଣେ ସେ ବଜ୍ର କାନରେ
ଫମ୍ପା ମାଟିଆଟା ମିଛରେ କାନ୍ଦୁଛି
ଲୁହ ତା ଆଖିରୁ ଝରେ।
ନାରୀ ଜାଗରଣ ନାରୀ ମହିୟସୀ
ନାରୀଯେ ଦେବୀ ପାର୍ବତୀ
ନାରୀର ଦୁର୍ଦ୍ଦଶା କେତେ ଯେ ବଢୁଛି
ହୃଦୟ ଫାଟି ଯାଉଛି।
ରାଜନେତା ମାନେ ଭାଷନ୍ତି ପ୍ରବଳ
ଦିଶୁନି ଏ ମାଆର ଦୁଃଖ
କିଏ ପୋଛିବ ଏ ମାଆର ଲୁହକୁ
ହେ ବିଧାତା ଆକୁଳେ ଦେଖ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0Comments
Post a Comment (0)