
ତୁମ ଗାଁ ଆଉ ଆମ ଗାଁ ବାଟ
ମଝିରେ ଅଳସୀ ନଈ
ସାଙ୍ଗ ସାଥି ସଙ୍ଗେ ପ୍ରତି ପ୍ରଭାତରେ
ଆସ ଗାଧୋଇବା ପାଇଁ ।।
ସଜଳ ସକାଳେ ଚୂର୍ଣ୍ଣ କୁନ୍ତଳେ
ପଖଳା ପାଣି ର ଧାର
ମୋ ଗାଁ ନଈକୂଳ ଛୁଇଁ ଦିଶେ
ସୁନ୍ଦର ରୂପ ତୁମର ।।
ତୁମ ଗାଁ କାକ କୋଇଲି ଆସନ୍ତି
ଆମ ଗାଁ ତୋଟା ମାଳେ
କୋଇଲି ତୁମର ନାମେ ଗୀତ ଗାଏ
କାଉ ରାବେ ଆମ ଚାଳେ ।।
ତୁମ ଗାଁ ଚାନ୍ଦ ଆକାଶେ ଉଠିଲେ
ତା ଜୋଛନା ଝର ଝରି
ଜୋଛନା ବିଧୈ।ତ ରାତିରେ ମୋ ଗାଁ
ହସୁ ଥାଏ କିରି କିରି ।।
ତୁମ ଗାଁ ଝରା ମଳୟ ପବନେ
ମୋ ଗାଁ ନିମ ତରୁ
ଚନ୍ଦନ ପାଲଟେ ଆନମନା ହୁଏ
ତୁମ ନାମ ଧରୁ ଧରୁ ।।
ତୁମ ଗାଁ ଝିଅ ଆମ ଗାଁ ବୋହୁ
କେବେ ସୁନା ସବାରିରେ
ମୋଘର ମଣ୍ଡିବ ମାଣ ବସେଇବ
ବୋହୁ ହୋଇ ଆମଘରେ ।।
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
