
ଶୁଣ ଧରାବାସୀ ସରଗର ଶଶୀ
ପଚାରଇ ବାରେ ଉତ୍ତର ଦିଅ
ରଜନୀ ବୁକୁରେ ଘନ ତିମିରରେ
କିଏ ସେ ଢାଳୁଛି ଆଖିରୁ ଲୁହ...
ଶରତର ଅନ୍ତେ ଖୋଜୁଥିଲି କେତେ
ପାଇବାକୁ ଟିକେ ଶୀତଳ ଛୁଆଁ
ଏ କେମିତି ହେଲା ସପନ ସାଜିଲା
ବୈଶାଖର ତାତି ଜଳାଏ ହିଆ...
ସକାଳରୁ ସଞ୍ଜ ନିତି ଦହଗଞ୍ଜ
ଖୋଜୁଛି ଠିକଣା ହଜିଲା ଦିନ
ସୂରୁଯ ବି ଖୁସି ତୁମ ସାଥେ ମିଶି
ସମୀର ତପତ ଅଧୀର ମନ...
ଆଶା ଅସୁମାରି ଗଲାଣି ସେ ମରି
ଅଭିଶପ୍ତ ଏଇ ଜୀବନ ଆଜି
ବିଚଳିତ ମନ ସାଥୀ ରାତିଦିନ
ଧୂଆଁ କୁହୁଡ଼ିରେ ଯାଇଛି ହଜି....
ସଞ୍ଜର ସଳିତା କହେ କେତେ କଥା
ଚଉରା ମୂଳରେ ପତଙ୍ଗ ଆଶେ
ମୋ ଜୀବନ ଦୁଃଖ ନ ଛାଡ଼ଇ ପାଖ
ଜଳୁଛି ଶରୀର ତପନ ଧାସେ....
ପବିତ୍ର କୁମାର ନାୟକ
କେଲୁଆପଲ୍ଲୀ, ଗଞ୍ଜାମ
