ଦଶ ବରଷରୁ ଉଣେଇଶ ଯାଏ
            କିଶୋର କିଶୋରୀ ବୟସ
ମନରେ ଆସଇ ଅଦମ୍ୟ ଉନ୍ମାଦ
              ଜାଣିବାକୁ ସବୁ ପ୍ରୟାସ  ॥
ସାରା ପୃଥିବୀଟା ହାତ ମୁଠାରେ ତ
             ପାଇବାକୁ ଦେଖା ସ୍ୱପ୍ନ
କାଳ୍ପନିକ ହେଉ କିବା ଅବାସ୍ତବ
            ଆଶା ଧରିବେ ସେ ଜହ୍ନ ॥
ଆବେଗ ପେନ୍ଥାଟା ମନ ଲତାଡାଳେ
             ଖୋଜେ ଟିକେ ହସ ପ୍ରଶଂସା
ଉତ୍ସାହ ପ୍ରେରଣା ପ୍ରୋତ୍ସାହନ ହେଲେ
           ଭରେ ହୃଦେ କେତେ ଜିଗୀସା ॥
ମୁଁ ସବୁ ଜାଣେ ସବୁ ମୋର ଠିକ୍
              ଯୁକ୍ତିରେ ହୁଏ ସେ ଅଟଳ
ସେ ଯୁକ୍ତି କଟିଲେ ହିଂସୁକ ହୁଅଇ
             ସମ୍ମୁଖେ ପ୍ରକାଶେ ଗରଳ ॥
ଜ୍ୟେଷ୍ଠ ଶ୍ରେଷ୍ଠ ନିଶା ପାହାଡ ଚଢଇ
              ସ୍ନେହ ଶ୍ରଦ୍ଧା ପ୍ରେମ କଳ୍ପନା
ପରୀ ରାଇଜର ରାଜା ରାଣୀ ହେବା
           ଭୁଲେ କେତେ ଦୁଃଖ ଯାତନା ॥
ପ୍ରତିଦ୍ୱନ୍ଦୀ ଭାବ ପ୍ରତିହିଂସା ନିଆଁ
               ଭରିଯାଏ ଟିକେ କଥାରେ
ଜିଦ୍ ଖୋର ହୁଏ ପ୍ରତିଟି କଥାରେ
             ବୁଝେନାହିଁ କାହା ବିଚାରେ ॥
ତା କଥାରେ ଯିଏ ଗୁରୁତ୍ୱ ଦିଅନ୍ତି
                  ସେ ହ୍ୱନ୍ତି ପ୍ରଭୂ ଈଶ୍ୱର
ତାଙ୍କୁ ଭାବିଥାଏ ଆଦର୍ଶ ନିଜର
              ପ୍ରତିକ୍ଷଣେ କରେ ଜୁହାର ॥
ସେ ଈଶ୍ୱର ଯଦି ଶିଖାନ୍ତି ଶୃଙ୍ଖଳା
               ଖୁସିରେ ପାଏ ସେ ସଂସ୍କାର
ହୁଏ ସେ ସଂଯମୀ ସାଧୁ ସୁଶିକ୍ଷିତ
                 ଉତ୍ତମ ତା'ର ଶିଷ୍ଟାଚାର ॥
ତା ବିଚାରେ ଯେଉଁ ଗୁରୁ ଅବା ସାଥୀ
                     ଆଦର୍ଶ ଓ ସର୍ବଶ୍ରେଷ୍ଠ
ତାଙ୍କୁ ଅନୁସରି ମୂଲ୍ୟବୋଧ ବୁଝି
                   କରେ ନିଜକୁ ଉତ୍କୃଷ୍ଟ ॥
ହେ ପିତା ମାତା ଗୁରୁ ଗୁରୁଜନ
                     ଦିଅ ଏହାଙ୍କୁ ଗୁରୁତ୍ୱ
ସମାଜ ସମାଜ ନୀତି ଓ ଆଧ୍ୟାତ୍ମିକ ଧ୍ୟାୟୀ
                    ଦିଅ ହେ ଗୁରୁ ଦାୟିତ୍ୱ ॥
ଏ ଦିନେ ଯଦି ସେ ଅବାଟରେ ପଡେ
                     ହୋଇଯାଏ ବାଟବଣା
ସୁନ୍ଦର ଜୀବନ ମଳିନ ପଡଇ
                    ସବୁ ଆଶା ହୁଏ ଚୁନା ॥

ନାରାୟଣ ଚନ୍ଦ୍ର ସେନାପତି, କେନ୍ଦୁଝର