
କବିର ଭାବନା ମଧୁର କଳ୍ପନା
ଆଙ୍କିଦିଏ ଯେଉଁ ଛବି
ଲିଭେ ନାହିଁ କେବେ ମାନସ ପଟରୁ
ଯାଏ ନାହିଁ କେବେ ହଜି...
କବି ଭାବନାରେ ହଜିଗଲା ପରେ
ମରୁ ଦେହେ ବାରି ବହେ
ଅଦିନେ ଆକାଶ ଘୋଟେ ଯେ ବତାସ
ସମୀର ବି କଥା କହେ...
କବିଟିଏ ସିଏ କରେ ନାହିଁ ଯିଏ
ଅଶ୍ଳୀଳ ଭାଷା ଇଙ୍ଗିତ
ବଦଳାଇ ପାରେ ସାମାଜିକ ରୀତି
ହୁଏ ନାହିଁ ଆଶଙ୍କିତ...
ମନ ଶାମୁକାରେ ସାଇତି ସେ ପାରେ
ଅମୂଲ୍ୟ ଶବ୍ଦ ମୁକୁତା
ସପନରେ ଥାଇ ଆନମନା ହୋଇ
ହୁଏ ସେ ଜଗତଜିତା...
ଭାବ ପାରାବାରେ ମଜ୍ଜିଗଲେ ଥରେ
ନିଜେ ପରା ଯାଏ ହଜି
ଲଭେ ନାହିଁ କେବେ ଶାନ୍ତିର ଉଆସ
ସପନରେ ଭିଜି ଭିଜି...
ଲେଖନୀର ଧାରେ ସଂସାର ସୁଧାରେ
ସପନେ ତାଜ ମହଲ
କୁହ ବନ୍ଧୁ ତମେ କିଏ ସେ କବି ହେ
ବୁଝିନ ପୀରତି ମୂଲ...
ପବିତ୍ର କୁମାର ନାୟକ
କେଲୁଆପଲ୍ଲୀ, ଗଞ୍ଜାମ
