ମାଟି ଗୋଡିର
ଝୁଣ୍ଟି ଖିଆ ରାସ୍ତା ଟିଏ
ଲମ୍ବି ଯାଇଛି
ମୋ ମନରୁ ତୁମ ହୃଦୟ ଆଡକୁ...
ଯିବା ବାଟ ରେ
କେତେ ଯେ ଖାଲ ଢ଼ିପ
ଉଠାଣି ଗଡାଣି
ତଥାପି ମୁଁ ପଡି ହୁଣ୍ଟୁରୀ
ଯିବାକୁ ଭଲ ପାଏ
ସେଇ ନିଷ୍ଠୁର ହୃଦୟ ପାଖକୁ...
କିନ୍ତୁ....
ତୁମ...
ନୀରବତା ଦେହରେ
ମୋ ଇଚ୍ଛା ସବୁ ପିଟି ହୋଇ
ଚୁର୍ ମାର୍ ହେଲା ପରେ
କେଇ ଟୁକୁଡା ଆଶା କୁ ସାଉଁଟି
ଫେରି ଆସେ
ସେଇ ଅବୁଝା ମନ ନିକଟକୁ...
ଏଇ ତ....
ପୁଣି ଥରେ ଏଠି
ଆଶାର ଭିଡ଼
ପବନ ପିଠିରେ ଆପେ ଆପେ
ଗଢି ହୁଏ କୋଠା ଉପରେ କୋଠା
ହେଲେ ଡର ଲାଗେ
କାନ୍ଥ ପାଖରେ ବି କିଛି କହିବାକୁ....
ଥରେ ନୁହେଁ
ଏମିତି ବାର୍ ବାର୍ ହୁଏ
ବିଶ୍ୱାସ ସବୁ ନିଲାମ୍ ହୁଏ
ସନ୍ଦେହ ନିକଟରେ
ଆଶା ଆକାଂକ୍ଷା ଉଡି ଯାଏ
ଅଚାନକ୍ ଘୁର୍ଣ୍ଣି ବଳୟରେ
ମନ ଖୋଲା କଥା...ହା ହା ହା
କହି ହୁଏ ନା ଏଠି କାହାରିକୁ....
ଦେଖନା କେମିତି
ଅପମାନିତ ହେଉଛି
ମନର ଭାବନା
ଶାଗ ମାଛ ଦରରେ ବିକ୍ରି ହୁଏ
ଭଲ ପାଇବା
ଆଧୁନିକତାର ପାହାଡ଼ ତଳେ
ଚାପି ହୋଇ ଯାଏ
ସମସ୍ତ ନିରୁତା ଅସହାୟ ପଣ
କାରଣ ପଚାରି ବୁଝିବ କାହାକୁ....?
ସ୍ମୃତି ସବୁକୁ
ମନ କାନ୍ଥ ରେ ଟାଙ୍ଗି ଦେଇଛି
ଇଚ୍ଛା ସବୁକୁ ମାଟିରେ
ପୋତି ଦେଇଛି
ଆଶା ସବୁ ଆପେ ଆପେ ମରି ଗଲେଣି
ସ୍ୱପ୍ନ ସବୁ ନିଜ ଇଚ୍ଛାରେ ହଜି ଗଲେଣି
ତଥାପି ମୁଁ କାହିଁ
ବରମ୍ବାର ଖୋଜେ ସେଇ ଅତୀତକୁ....???
କେଉଁ କାଳରୁ
ଶୁଖି ଯାଇଛି ଏ ଝରଣା
ନା ଅଛି ସ୍ରୋତ ନା ଅଛି ଗଭୀରତା
ଅଛି କେବଳ ଭଙ୍ଗା ନାଆ ଟିଏ
ଆଉ ଅବସର ନାଉରିଆ
ହେଲେ...ଏବେବି
ଛିର୍ ଛିର୍ ହୋଇ ବହୁଛି ପାଣି
ଉପରେ ନୁହେଁ ...ଟିକେ
ଯିବାକୁ ପଡ଼ିବ ବାଲି ଭିତରକୁ...
ଗୋପାଳ ଚନ୍ଦ୍ର ସାଓ
ଦେଓଳି, ବାରିପଦା, ମୟୂରଭଞ୍ଜ
0 Comments
You can write now your valuable comments here. Off-topic comments may be removed or deleted without prior notice.