
ଗୋଟେ ନିର୍ଦିଷ୍ଟ ମାସର
ନିର୍ଦିଷ୍ଟ ବାରରେ
କାହିଁକି ଆସନ୍ତି ଧନଦାତ୍ରୀ !
ତାଙ୍କ ଆଗମନ ପାଇଁ
ଏଇଘରେ କେତେ ପରିବର୍ତ୍ତନ
ଝଡା ଝଡି ଧୁଆ ଲିପା
ଚିତା ପଇତା କେତେକଣ ।
ବିଧିବିଧାନ କେତେଯେ ଫରକ
ଘର ଆଉ ପରିବାର ଦେଖି
ଧୂପ ଦୀପ ଭୋଗରାଗ
ଘଣ୍ଟ ଘଣ୍ଟା ପୂଜା ଆଳତିରେ ।
ହେଲେ ସେ' ଦେବୀ
କେତେବେଳେ ଆସନ୍ତି
କେତେବେଳେ ଯାଆନ୍ତି
କିଏବା ଦେଖିଛି ।
କାଇଁ ହେତୁପାଇଲା
ଦିନଠୁ ଆଜିଯାଏ
ମୁଁ ତ ତାଙ୍କୁ ଦେଖିନି
ହେଲେ କାହିଁକି କେଜାଣି
ତାଙ୍କୁ ଆଉ ତାଙ୍କ ସଉତୁଣୀକୁ
ମଥାଲୋଟା ପ୍ରଣାମ କରିବାକୁ ପଡେ
କାଳେ ଧନ ଆଉ ବିଦ୍ୟା ଉଣା କରିଦେବେ ଦୁହେଁ କୋପରେ ।
ଭକ୍ତିରେ କି ଭାବରେ
ବିଶ୍ୱାସରେ କି ଭୟରେ
ମୁଁ ଏବେବି ଜାଣିନି
ଜୀବନର ଏଇ ମଧ୍ୟାନ ବେଳାରେ - - - - -
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା
