ତୁ ଆସିଲୁ  ବୋଲି ମହକିଲା ଫୁଲ
ହସିଲା  ରୂପେଲି ଜହ୍ନ
ମୋ ଦେହେ ଖେଳିଲା ପ୍ରୀତି ଶିହରଣ
ଚଗଲା ହେଲା ଏ ମନ ।

ନିଦାଘ ଜୀବନେ ଶ୍ରାବଣ ଝରିଲା
ପାଖରେ ତୋତେ ମୁଁ ପାଇ
ଦିନ ବିତିଗଲା ରାତିବି ପାହିଲା
ପ୍ରେମ ଗୀତ ଗାଇ ଗାଇ ।

କେଉଁ ରାଇଜରେ ଲୁଚି ରହିଥିଲୁ
ଏମିତି ଗୁପତ ଧନ
ତୁ ଆସିଲୁ ବୋଲି ମହକିଲା ଫୁଲ
ହସିଲା ରୂପେଲି ଜହ୍ନ  ।

ଫଗୁଣ ଫେରିଲା ରଙ୍ଗବି ଭରିଲା
ଅବଶୋଷ କିଛି ନାହିଁ
ତୋ ହାତ ପରଶେ ଯଉବନ ନାଚେ
ଦେହ ଦେଉଳକୁ ଚାହିଁ ।

 ବସନ୍ତ ପସରା ପ୍ରୀତି  ମଧୁଝରା
ସୁନ୍ଦର ଏ ମଧୁ ବନ
ତୁ ଆସିଲୁ ବୋଲି ମହକିଲା ଫୁଲ
ହସିଲା ରୂପେଲି ଜହ୍ନ ।

ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା