(୧)
ଆସ ଆମେ ସେତୁ ସୁଦୃଢ କରିବା
ତୁମ ଆଉ ଆମ ମନର !
ମନ ବଡ଼ ବିଚିତ୍ର ଜିନିଷ
ନିଜ ପାଖେ ଥାଇ ସେ ପାଖେ ରହେନା
ତାକୁ ନେଇ ଅନ୍ୟ ପାଖେ ଯୋଡିବାର
ଶକ୍ତି ସୃଷ୍ଟି କରିବା !
ସେଥିପାଇଁ ପ୍ରୟୋଜନ ସେତୁ
ସେ ଅଦୃଶ୍ୟ ସେତୁ ପୁଣି ଗଢେ ଭାଙ୍ଗେ କ୍ଷଣକେ
ତାକୁ ଆମେ ସୁଦୃଢ କରିବା
ଯେପରି ସେ ଆଉ ଭାଙ୍ଗି ନ ପାରେ କେବେ !!
ଏହା କି କଣ କଥାର କଥା ହୋଇ ରହିଯିବ
ଯୁଗ ଯୁଗ ଧରି ?
କାରଣ ମନ ଯେ ଏକ ସାଗର !
ଆଉ ସାଗର ବକ୍ଷେ ସେତୁ ବାନ୍ଧିବା ସହଜ ନୁହେଁ  ।
(୨)
ବାନ୍ଧି ଥିଲେ ସେତୁ ସାଗର ବକ୍ଷେ
ପୁରୁଷୋତ୍ତମ ରାମଚନ୍ଦ୍ର, ଧରି ବାନର ସେନା
କରିଥିଲେ ଜୟ ରାକ୍ଷସ ନଗରୀ ଲଙ୍କା
ଭାବିଦେଖ ଥରେ ବନ୍ଧୁ
ସାଗରରେ ସେତୁ ପାଇଁ କିପରି ସେ
ମିଳାଇଥିବେ ନିଜ ମନର ସେତୁ କୁ
ବାନରଙ୍କ ମନ  ମଧ୍ୟେ ?
ଯାହା ଫଳରେ ଗଢ଼ିଥିଲେ ସୁଦୃଢ ସାଗର ସେତୁ ??
(୩)
ରାମଚନ୍ଦ୍ର ଥିଲେ ପୁରୁଷୋତ୍ତମ
ଆମର ବା ଅଛି କଣ ?
କି ଜିନିଷ ଦେଇ କହହେ ବନ୍ଧୁ !
ଗଢିବା ସେପରି ସୁଦୃଢ ସେତୁ
ମନର ସାଗର ମଧ୍ୟେ ଯାହା ଫଳରେ
ତୁମ ଆଉ ଆମ ମନର ମିଳନ ହୋଇ
ଘୃଣା, ରାଗ, ଦ୍ୱେଷ ଆଉ ଅହମିକା
ପରି ରାକ୍ଷସ ବଂଶର ଧ୍ବଂସ ହେବ ?
(୪)
ସଂସାର ସୃଷ୍ଟି ସମୟରୁ ବିଭିନ୍ନ ସମୟରେ
ବିଭିନ୍ନ ଉପାୟରେ, ବିଭିନ୍ନ ନାମରେ ସେତୁ ସୃଷ୍ଟି ହୋଇଛି
ସୃଷ୍ଟିର ପ୍ରାରମ୍ଭରେ ଚତୁର୍ଦିଗ ଅନ୍ଧକାର
ଅସହାୟ ମଣିଷ ଏକା ............
ସୃଷ୍ଟିକର୍ତ୍ତା ବାନ୍ଧିଥିଲେ ସେତୁ ମଣିଷ ଆଉ ଅନ୍ଧକାର ମଧ୍ୟେ !
ସେ ସେତୁ ଆଲୋକର କିରଣ
ତେଣୁ ପ୍ରଥମ ସେତୁ ମଣିଷ ଆଉ ଘନୀଭୂତ
ଅନ୍ଧକାର ବକ୍ଷେ ହୋଇଥିଲା "ଆଲୋକ"
ମଣିଷ ଆଉ ଅନ୍ଧକାର ମଧ୍ୟରେ ବ୍ୟବଧାନ ହୋଇଥିଲା ଦୂର
ଏହାହିଁ ସୃଷ୍ଟିର ଆଦି ତତ୍ତ୍ୱ !
(୫)
ବନ୍ଧୁ ହେ ! ଚିନ୍ତା କରି ଦେଖ ଥରେ
ସେ ଅନ୍ଧକାର ଏ ରାତିର ଅନ୍ଧକାର ନୁହେଁ
ସେ ଅନ୍ଧକାର ମନର ଅନ୍ଧାରି ମୁଲକର
ସେ ଅନ୍ଧକାର ଦୂର କରିଥିଲା ଯେଉଁ ଆଲୋକ
ସେତୁ ଥିଲା ତାହା ମଣିଷ ଆଉ ପ୍ରକୃତିର
ସେହି ସେତୁ ମଣିଷ କୁ ଚିନହୀ ଶିଖାଇଥିଲା
ଶୃଷ୍ଟିକର୍ତ୍ତାଙ୍କୁ ଆଉ ସୃଷ୍ଟିକର୍ତ୍ତାଙ୍କର ଅପୂର୍ବ ରଚନାକୁ
ସେହି  ସେତୁ ସେ ଦିନ ଠାରୁ ଅହରହ କାର୍ଯ୍ୟରତ
ବହୁ ପୁରାତନ ସେହି ସେତୁ ଆଜି ଜର୍ଜର
ଆସ ବନ୍ଧୁ ତାକୁ ଆମେ ସୁଦୃଢ କରିବା
ମନର ଅନ୍ଧାରି ମୁଲକେ ଆଲୋକର ସେତୁ
ଜଳାଇ ହିଂସା, ଦ୍ୱେଷ, କଳହ ପରି ଅସୁମାରୀ
ବିପଦ ଠାରୁ ସେ ସେତୁ କୁ ରକ୍ଷା କରିବା
ପୁରାତନ ସେତୁ ଉପରେ ପ୍ରେମ, ସହିଷ୍ଣୁତା
ଉଦାରତା ଆଉ ନିର୍ଲିପ୍ତ ଭାବର ନୂତନ
ରଙ୍ଗ ଦେଇ ଜର୍ଜରିତ ସେହି ସେତୁକୁ
ସୁଦୃଢ କରିବା ଯେପରି ସେ ଆଉ
କେବେ ଭାଙ୍ଗି ପାରେ ନାହିଁ  ।
(୬)
ସେତୁ ଆମେ ସୃଷ୍ଟି କରିବା ଗ୍ରାମ - ଗ୍ରାମ,
ରାଜ୍ୟ - ରାଜ୍ୟ, ଦେଶ - ଦେଶ ମଧ୍ୟେ
ମନର, ପ୍ରେମର ଆଉ ବୁଝାମଣାର
ପ୍ରାଚୀର ସବୁ ଆପେ ଆପେ ଭାଙ୍ଗିଯିବ
ବାଟ ସବୁ ନିଜେ ନିଜେ ଫିଟିଯିବ
ସେତୁ ମଧ୍ୟେ ଗଢି ଉଠିବ ଏକ ରାମରାଜ୍ୟ
ଗଢି ଉଠିବ ଏକ ନୂତନ ସମାଜ
ଯେଉଁଠାରେ ଭାଷା, ଧର୍ମ୍ମ, ରଙ୍ଗ, ବର୍ଣ୍ଣ,
ଧନୀ, ନିର୍ଧନ ମଧ୍ୟେ ନ ଥିବ ଭେଦାଭେଦ
ପଡ଼ିବନି ଆବଶ୍ୟକ ପରମାଣୁ ବୋମାର
ତାହା କେବଳ ନଷ୍ଟ କରିପାରେ
ସିମେଣ୍ଟ କଂକ୍ରିଟ ର ସେତୁ
ଆସ ବନ୍ଧୁ ବସି ଆମେ ବିଚାର କରିବା
କେଉଁ ସେତୁ ବଳେ ହେବ ନାହିଁ କେବେ ଏ ପୃଥିବୀରେ
ଆଉ "ହିରୋସୀମା" ଓ "ନାଗାସାକି" ଗଢ଼ !
(୭)
ଆସ ବନ୍ଧୁ ଆମେ ସେତୁ ସୃଷ୍ଟି କରିବା
ଦୂର କରିବ ଯାହା,
ନବୀନ ଆଉ ପୂରାତନ ମଧ୍ୟେ ବ୍ୟବଧାନକୁ
ନବୀନ ର ଜନ୍ମ ପୂରାତନ କୋଳେ
ଆଜିର ନବୀନ କାଲିର ପୂରାତନ
ସର୍ବେ ହେବେ ଭବିଷ୍ୟତ ଗର୍ତ୍ତେ ଲୀନ
ତେବେ ଏ ବ୍ୟବଧାନ କାହିଁକି?
ନବୀନ ର ଏ ଅଭିମାନ କାହିଁକି?
ପୂରାତନର ଏ ଗାମ୍ଭିର୍ଯ୍ୟ କାହିଁକି ?
ଆସ ଆମେ ସେତୁ ସୃଷ୍ଟି କରିବା
ଏ ବ୍ୟବଧାନ ଦୂର କରିବାକୁ
ଭାବର ଆଦାନ ପ୍ରଦାନ, ଉପଯୁକ୍ତ ବୁଝାମଣା
କରିଦେବ ଦୂର ମିଥ୍ୟା ଅଭିମାନ
ଗଢି ଉଠିବ ନୂତନ ସେତୁ
ନବୀନ ଆଉ ପୂରାତନ ମଧ୍ୟେ 
ସେ ଦିନ ହିଁ ହେବ ଦେଶ ପାଇଁ ମହାନ  ।
(୮)
ଆସ ବନ୍ଧୁ କ୍ଷଣେ ବସି ମିଳାଇ ମନରେ ମନକୁ
ସୃଷ୍ଟି କରିବା ଏପରି ଏକ ସେତୁ
ଯାହା ଆଲୋକିତ କରିବ ଆମ ଅନ୍ଧାରି ମନକୁ
ଆୟତ୍ତ କରିବ ଆମ ଅନ୍ଧାରି ମନର ଅସୂୟାକୁ
ଭାବର ଆଦାନ ପ୍ରଦାନ ହେବ ନିର୍ଭୟରେ
ବାକ ସ୍ୱାଧୀନତା ପାଇଁ ନୀତି ନିୟମ ର ଆବଶ୍ୟକତା ନାହିଁ
ସୁଦୃଢ କଲେ ସେ ସେତୁ ଆପେ ଆପେ
ହେବ ମିଳନ ମନର ଆଉ ପ୍ରାଣର
ସେ ଦିନ ହେବ ଜୟକାର ମାନବ ସମାଜର  ।

ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର 
ଭୁବନେଶ୍ୱର - ୭୫୧୦୨୧, ଭ୍ରାମ୍ୟଭାଷ - ୯୯୩୭୨୬୮୦୧୨