କବି ବନ୍ଧୁ କୁହ ଲେଖିବ କେତେ ପ୍ରେମ କବିତା
ବୁଡି ଯାଉ ଅଛି କି ଅବା କରୁଣାର ସବିତା   ।
ପ୍ରେମ ପ୍ରଣୟର କାହାଣୀ କେତେ ଲେଖିବ ଆଉ
ମଣିଷ ମରଇ ଅସହ୍ୟ ହୁଏ ପ୍ରକୃତି ଦାଉ   ।।

କିଏ ପତ୍ର ଲେଖେ ପ୍ରିୟା କୁ ବିଚ୍ଛେଦର କାହାଣୀ
ଶୁଣାନ୍ତି କିଏସେ ନିଜର ପ୍ରିୟା ବିରହ ବାଣୀ  ।
ମାଓ ଆତଙ୍କିତ ବାରତା ଦୁଃଖୀ ପେଟର ଦାଉ
ଧରମ ଦାଣ୍ଡରେ ଦୁଃଷ୍କର୍ମ କେତେ ଦେଖିବା ଆଉ  ।।

ଦେହଜ ପ୍ରେମରେ ପ୍ରେମିକା ପାସେ ଅଳି ଅର୍ଦ୍ଦଳି
କବିତା  ପଂକ୍ତିରେ ଫୁଟଇ ଫୁଲ ଫୁଟିଲା ଭଳି  ।
ଲିଭି ଲିଭି ଆସେ ଜୀବନ ଦୀପ ଦେଖ ହେ ବନ୍ଧୁ
ମାଡ଼ି ମାଡ଼ି ଆସେ ଅନ୍ଧାର ସତେ କରାଳ ସିନ୍ଧୁ  ।।

ପ୍ରେମ ରଙ୍ଗ ରଙ୍ଗେ ରଙ୍ଗେଇ କେତେ ଚାଟୁ ଶବଦ
କବିତା ରେ ଲେଖେ ମିଳନ ଅବା ବିରହ ଛନ୍ଦ  ।
ମା,ମାଟି ପାଣି ପବନ ପ୍ରଦୂଷଣ ପ୍ରବଣ
ସୀମାନ୍ତେ ବଇରୀ ଦେଖାଏ ଦେଖ ତା ଟାଣ ପଣ   ।।

ପଢି ଏହି ପ୍ରେମ କବିତା କେତେ ଭଅଁର କିଟ
କାଟି ଦଳି ମହୁ ସହିତ ଫୁଲ କରନ୍ତି ନଷ୍ଟ  ।
କାହିଁ ଗତି କାହିଁ ମୁକତି କାହିଁ କବି ଭାବନା
ସମୟ କେବେହେଁ ଦେଇନି କେବେ କାହାକୁ କ୍ଷମା  ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା