ଦରକାର ନାହିଁ ଗଙ୍ଗା ଗୋଦାବରୀ
ଦରକାର ନାହିଁ ଗୟା
ଦରକାର ତୋର ଜଳରୁ ବିନ୍ଦୁଏ
ଜୀବ ଗଲେ ଛାଡି କାୟା

ଜୀବନ ଦଉଡି ଯେବେ ଯିବ ଛିଡି
କାଳର କରାଳ ଗ୍ରାସେ
ତୋ ନିର୍ମଳ ଜଳ ସହିତ ନିର୍ମାଲ୍ୟ
ତୁଣ୍ଡେ ଦେବ ଆଣି ପୋଷେ

ତୁହି ଉତ୍କଳର ସିନ୍ଧୁ ଗୋଦାବରୀ
ତୁହି ମନ୍ଦାକିନୀ ପରା
ତୋ ପୂଣ୍ୟ ସଲିଳ ଅତ୍ୟନ୍ତ ନିର୍ମଳ
ତୁ ଆମ ଜୀବନଧାରା

ସ୍ୱର୍ଣିମ ଅତୀତ ହୁଏ ଉପଗତ
ତୋ ଦେହ ଆଇନା ପରେ
ବାରବାଟୀ ଦୁର୍ଗ ତଳେ ତୋର ଜଳେ
କେତେକଥା ଉଙ୍କିମାରେ

ଉତ୍କଳ କୁମାରୀ ଅତି ସୁକୁମାରୀ
ସାଥେ ଘେନି ସଖୀଗଣ
ତୋ ଜଳେ ଆନନ ଦେଖି ଛନ୍ନ ଛନ୍ନ
ଲାଜେ ନତ ଅପଘନ

ଚନ୍ଦନ କୁଙ୍କୁମ ଅଙ୍ଗରାଗ ମାନ
ଗଭାର ମଉଳା ଫୁଲ
ତୋର ଜଳେ ମିଶି ଯାଉଥିଲେ ଭାସି
ଦୂରୁ ଦେଖେ ଶଂଖଚିଲ

ସାଧବେ ବିଦାୟ ନେଉଥିଲେ ଯେବେ
ସଧବା ନାରୀଏ ମିଶି
ସାଧବାଣୀ ନେତ୍ର କଜ୍ଜ୍ୱଳ ମିଶ୍ରିତ
ଲୋତକ ତୋ ଜଳେ ଖସି

ଆଣୁଥିଲେ ବୋହି ବୋଇତ ପୁରାଇ
ଧନ ରତ୍ନ ଅସୁମାରି
ତୁହି ଅଛୁ ସାକ୍ଷୀ ସେହି କଜ୍ଜ୍ୱଳାଖି
ବୋଇତ ବନ୍ଦାଣକରି

ତରଣି ସରଣି କରି ଚାଲୁଥିଲା
କ୍ଷପଣିରେ ବକ୍ଷଚିରି
ଜ୍ୟୋତ୍ସ୍ନାସ୍ନାତ ତୋର କଲ୍ଲୋଳିତଧାର
ଅସୀମ ସୁଷମା ଧରି

ମାଝିର ଗୀତରେ ଉଲୁସୁଥିଲା ତୋ
ରୁପାର ତରଳ ଧାରା
ତା ଆହୁଲା ଘାତେ ତୋ ତରଳ ଗାତ୍ରେ
ଅୟୁତେ ଚନ୍ଦ୍ରର ଝରା

ସଜଳ ଧାରା ତୋ ଉଜ୍ଜ୍ୱଳ ହୁଏ
ଉଷାର ପରଶ ପାଇ
ପ୍ରଦୋଷେ ଲେଉଟା ସୂରୁଜ ପରଶେ
ଆଉଟା କନକ ଛଇ

ବଇଶାଖି ବାଆ ଅତି ଦୁଃଖ ଦିଆ
ତନୁ ତୋର କୃଶ ହୋଇ
ଶ୍ରାବଣ ପରଶ ତୋ ତନୁ ସରସ
ଉଛୁଳେ ତୋ କୂଳ ଦୁଇ

ତୋର ତୀର ରାଜି ଉଠଇ ବିରାଜି
ସ୍ନିଗ୍ଧ ଓ ଶ୍ୟାମଳ ବର୍ଣେ
ତମାଳ ମାଳରେ ମଧୁର ତାଳରେ
ବିଭୋର କୋଇଲି ଗାନେ

କେଦାରେ କେଦାରେ ହସିଲା ସୁନେଲି
ଫସଲର ସେ ସମ୍ଭାର
କୃଷକର ମନ ଅତୀବ ପ୍ରସନ୍ନ
କଣ୍ଠେ ତା ମେଘମହ୍ଲାର

ତୋ କୂଳେ ବିରାଜିଛନ୍ତି ତୀର୍ଥ ରାଜି
ଧବଳ ସଉଧ ମାଳ
ତୋ ତୂଠରେ ଯୋଷା ପଦକରେ ଘସା
ଝୁଣ୍ଟିଆ ପାଉଁଜି ରୋଳ

ତୋର ଘାଟେ ସ୍ନାନ କରି ସମାପନ
ତୋ ଜଳ ଘଟରେ ଭରି
ଯାଏ ପଲ୍ଲୀବାଳା ତା କେଶ ମୁକୁଳା
ଟୋପା ଟୋପା ଜଳ ଝରି

ତୋ କୂଳେଶ୍ମଶାନେ ମୋ ଶବଦହନେ
ଚିତା ଭସ୍ମ ତୋର ଜଳେ
କରିଲେ ଅର୍ପଣ ଧନ୍ୟହେବ ପ୍ରାଣ
ଲୋଡାନାହିଁ କିଛି ତିଳେ

ଆଜି ତୋ ପାଇଁ ରାଜନୀତି ହୁଏ
ତୋ ଠାରେ ଶରଧା ନାହିଁ
ନାହାନ୍ତି ସେ ବୀରେ ଯାହାଙ୍କ ସ୍ମୃତିରେ
ଝରାଉଛୁ ଅଶ୍ରୁ ତୁହି

ପ୍ରମୋଦ କୁମାର ପଣ୍ଡା
ବାଘମାରୀ, ଖୋରଧା