
ମା' ବିନା ଧରା ନିଶ୍ଚଳ ନିର୍ଜିବ ମାତୃଶକ୍ତି ମହାବଳ
ମା' ଗଢିଅଛି ଏ ସଂସାର ସିନା ତା ବିନା ସବୁ ଅସାର ।।
ମାତୃଶକ୍ତି ହୀନ ସ୍ବୟଂ ଶିବ ଶବ ସମାନ ଦିଶନ୍ତି ପରା
ମା' ଶକ୍ତି ବଳେ ମୋଚନ ହୁଅଇ ସଂସାରୁ ଦୁଃଖର କାରା ।।
ମାତୃମୟ ଏହି ବିଶ୍ବ ଭୁବନ ମା'ବିନା କାହିଁ ସୃଷ୍ଟି
ସନ୍ତାନ ଶରୀର ବଜ୍ର କରିପାରେ ମାଆ ର ଦିବ୍ୟ ଦୃଷ୍ଟି ।।
ମା' ସେବା କଲେ କୋଟି ଜନ୍ମ ପାପ ଅଚିରେ ଦୂରେଇ ଯାଏ
ମା’ର ମମତା ଅମୃତ ସମାନ ତା ସମାନ ନାହିଁ କିଏ ।।
ଦେବୀ ଦୁର୍ଗା,ଲକ୍ଷ୍ମୀ,ସରସ୍ବତୀ ବିଦ୍ୟା,ଧନ,ଅଇଶୋର୍ଯ୍ୟ ଦାତ୍ରୀ
ମାଆ ରୂପେ ତାଙ୍କୁ ତିନିଲୋକ ଲୋକ ଆରାଧନା କରିଥାନ୍ତି ।।
ଏ ମାଟି ଧରିତ୍ରୀ ମାଆ ପରି ସହେ କେତେ ଅଳି ଅରଦଳି
ସର୍ବଂସହା ମାଟି ମା' ମୋ ଜନନୀ ସଭିଙ୍କୁ ରଖିଛି ଧରି ।।
ଗରଭଧାରିଣୀ ଜନମ ଦାୟିନୀ ଏ ଶରିର ଗଢିଥାଏ
ଦଶମାସ ଦଶଦିନ ଗର୍ଭେ ଧରି ଜନମ ତ ଦେଇଥାଏ ।।
ସେନେହ,ମମତା,ଆଦର,ଆଶିଷ,ଦୁଃଖ, ଦୁର୍ଦ୍ଦିନ ର ସାହା
କେହି ନୁହେଁ କେହି ରଖି ନପାରଇ ରଖିଥାଏ ଏକା ମା’ ।।
ସଂସାର ଜଞ୍ଜାଳେ ଥକିଗଲାବେଳେ ମା' ମନେ ପଡିଯାଏ
ଉଚ୍ଚାରଣ କ୍ଷଣେ ବିଶଲ୍ୟକରଣୀ ସମ ଉପସମ ହୁଏ ।।
କୋଟିଏ କୁପୁତ୍ର ଜନ୍ମ ନେଇପାରେ କୁମାତା ନମିଳେ କାହିଁ
ତା ପଣତ ତଳେ ସଂସାର ର ସୁଖ ମୃତ୍ୟୁ ଛୁଇଁ ପାରେ ନାହିଁ ।।
ଏକାକ୍ଷରୀ ଶଦ୍ଦ ଅଲଭ୍ୟ ଅମୃତ ଅନନ୍ୟ ଶଦ୍ଦ କୋଷରେ
ମା' ସେହି ଶଦ୍ଦ ପୀୟୂଷ ନିନାଦ ହୁଅଇ ତିନିଲୋକରେ ।।
ସେହି ଦେବୀ ସେହି ସର୍ବଂସହା ମା ଜନମ ଦାୟିନୀ ସେହି
ପଦ କମଳ ପ୍ରଫୁଲ୍ଲ ଫୁଲରେ ନିତ୍ୟ ବନ୍ଦେ ନିତ୍ୟ ଧ୍ୟାୟୀ ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
