ମାଆ ଗୋ ବିଷ୍ଣୁମୋହିନୀ ଜଗତ ଜନନୀ
ତୋ ପୂଜା ସମ୍ଭାରେ କମ୍ପିଉଠୁଛି ମେଦିନୀ ।
ଚାରିଆଡେ ମେଢ ତୋର ଝଲସି ଦିଶୁଛି
ତୋ ପୂଜାମଣ୍ଡପ ମାଳ ମାଳ ବିରାଜୁଛି ।
ଭାବ ଭକ୍ତି ବିରହିତ ତୁ୍ଛା ଆଡମ୍ବର
ଲୋକଦେଖାଣିଆ ଖାଲି ଆପଣା ପ୍ରଚାର ।
ଆସନାହିଁ ଆସନାହିଁ ଆଉ ଧରାପରେ
ଲୋକହସା କାହିଁପାଇଁ ହେବ ତୁଛାଟାରେ ।
ତୁମ ପୂଜା ଆରାଧନା ମିଛର ବାହାନା
ଭକତିହୀନ ଅନ୍ତର ସମ୍ପୂର୍ଣ୍ଣ ଅଲଣା ।
ପୁରୋହିତ ମନ୍ତ୍ରପାଠ କିଏ ସେ ପଚାରେ
କାନ ଅତଡା ପଡିବ ଡିଜେ ଶବଦରେ ।
ଅଶ୍ଲୀଳ ଗୀତରେ ତୁମ ସମ୍ମାନ ହିଁ ଯିବ
ଆଚାରହୀନ ଗହଣେ ମନ ଦୁଃଖ ହେବ ।
ପୂଜା ଶେଷେ ବିସର୍ଜ୍ଜନ ବେଳର ଘଟଣା
ଦେଖିଲେ ମନ ତୁମର ହୋଇଯିବ ଊଣା ।
ଥାଅ ତୁମେ ଗୋଲୋକରେ ଦିଅ ଶୁଭାଶିଷ
ଶୁଭବୁଦ୍ଧି ଜାତହେଉ ମଣିଷ ମାନସ ।

ରମେଶ ଚନ୍ଦ୍ର ମିଶ୍ର,
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ଅନୁଗୋଳ