କାଶତଣ୍ଡୀ - ଧ୍ରୁବ ଚରଣ ବେହେରା

0

ରଜନୀ ପାହିଲା କାକ ରାବ ଦେଲା
ବ୍ୟଥା ରେ ଗାଏ କୋଇଲି
ରବି ଚାହିଁ ଦେଲେ ଶରତ ସକାଳେ
ଧରଣୀ ଦିଶେ ସୁନେଲୀ ।୧।

କେଉଁ ବିନ୍ଧାଣୀ ସେ ଗଢିଛି ଲୋ ତତେ
ଆସୁତୁ ପାର୍ବଣେ ବୁଲି
ବିଲହୁଡା ମାଳେ ଶୁଭ୍ର ମୁକ୍ତ କେଶା
ହସୁଥାଉ ନିତି ଝୁଲି ।୨।

ସବୁଜିମା ରାଜି ଫୁଲ ଫଳ ଭରା
ଦିଶେ ମର୍ତ୍ତ୍ୟର କାନନ
ତୋ ପାଇଁ ବୋଲି ତ ଚାରିଆଡେ ଶୋଭା
କିଣି ନିଏ ତନ ମନ ।୩।

ତୁହି ଅପସରୀ ଅପୂର୍ବ ରୂପସୀ
ଛନ ଛନ ତୋ ଯୌବନ
ସମୀରର ସାଥେ ପୀରତି ପସରା
ଖୋଲିଦେଉ ନିତିଦିନ ।୪।

ସଞ୍ଜର ଗୋଧୂଳି ହସିଲେ ଧରାରେ
ଦିଶୁ ତୁ ନୂଆ ନାଗରୀ
କେତେ ରୂପ ରଙ୍ଗ ଛଇରେ ଲାଜେଇ
ନାଚୁଥାଉ ଥିରି ଥିରି ।୫।

ନୀଳ ଆକାଶର ନିଳିମା କୋଳରୁ
ବରଷା ବିଦାୟ ନିଏ
ଚଉଦିଗ ସାରା ନିର୍ମଳ ଅମ୍ବର
ତୋ ପ୍ରବେଶ କଥା କୁହେ ।୬।

ଅବନୀ ଛାତିରେ ପୂଜାର ଝଲକେ
ଉଛୁଳି ପଡଇ ଧରା
ଆଦିଶକ୍ତି ମାଆ ପୂଣ୍ଯ ଆଗମନେ
ଦୁଃଖ ହଜିଲାଗେ ତୋରା ।୭।

ଗୁଞ୍ଜି ଉଠୁଥାଏ ମାଆର ମହିମା
ମେଢ ମଣ୍ଡପ ବେଦୀ ରେ
କାଶତଣ୍ଡୀ ତୁହି ନୂଆ ସଂଙ୍କେତ ଲୋ
ଆମରି ରଙ୍ଗମଞ୍ଚରେ ।୮।

ତୋ ପାଇଁ କବି ପ୍ରେମରେ ପାଗଳ
ଲେଖଇ କେତେ କବିତା
ଭାବନା ରାଇଜ ରାଜକୁମାରୀ କି
କାହାର ଲବଙ୍ଗ ଲତା ? (୯)

ପ୍ରୀତି ହାସ୍ୟମୟୀ ଅପରୂପା ବାଳା
ସତେକି କହୁଛୁ କଥା
ରାତିର ଗଗନେ ଜହ୍ନ ହସିଦେଲେ
କହୁ ପୀରତିର ଗାଥା ।୧୦।

ସକାଳର କେବେ ସାଜୁ ପ୍ରିୟତମା
ଅମାର ମାନସୀ ପରୀ
ଅଶିଣ ହୃଦୟେ ପ୍ରେମିକା ମାନନୀ
ହୁଡାର ମନ ମୟୁରୀ ।୧୧।

ଧ୍ରୁବ ଚରଣ ବେହେରା,
ଅଠରବାଟିଆ, ବାଲୁଗାଁ, ଖୋରଧା

Post a Comment

0Comments
Post a Comment (0)