ହେ ଉତ୍କଳମଣୀ - ଧ୍ରୁବ ଚରଣ ବେହେରା

0

ହେ ଉତ୍କଳମଣୀ  ସାହିତ୍ୟ ବିନ୍ଧାଣୀ
ଜନ ନାୟକ ଜନ ବନ୍ଧୁ
ଦୁଃଖୀ ଦରିଦ୍ରଙ୍କ ଜୀବନ ରକ୍ଷକ
ସତ୍ଯ  ଅହିଂସାର ସିନ୍ଧୁ ।୧।

ସେବକ ପଣରେ ଉତ୍ସର୍ଗୀତ କଲ
ସାରା ଜୀବନକୁ ଭେଟି
ତୁମ ପରି  ପୁତ୍ର ପାଇକରି ଦିନେ
ଗର୍ବିତ  ଥିଲା  ମୋ ମାଟି ।୨।

ଆଜି ସେହି ମାଟି ଝୁରୁଅଛି ସଦା
ତୁମରି କର୍ମ  ଆଦରି
ମୋ ଜାତିର ତୁମେ  ଅନନ୍ଯ  ସ୍ରଷ୍ଟା  ହେ
କିଏ ହେବ  ତୁମପରି  ?

ହେ ମହାପୁରୁଷ  ତୁମ ଶୂନ୍ଯସ୍ଥାନ
କେହି  ନ ପାରିବେ  ଭରି
ଉତ୍କଳ  ଆକାଶେ ତୁମେ ଦୀପ୍ତିମନ୍ତ
କେହିନୁହେଁ ତୁମ ସରି ।୪।

ନିଆରା ବ୍ଯକ୍ତିତ୍ବ  ସରଳତା ପଣ
ସାଧୁତାର ମହାମନ୍ତ୍ର
ତୁମ  ଅବଦାନ ଭାରତେ ବିଖ୍ୟାତ
ନିପୁଣ ଶିକ୍ଷକ  ତନ୍ତ୍ର ।୫।

ନାହାଁନ୍ତି ସେପରି  ବିଦ୍ବାନ ଶିକ୍ଷକ
ନାହାଁନ୍ତି ସେପରି ଛାତ୍ର
ନିଜେତ ମହାତ୍ମା ଲେଖିଯାଇଥିଲେ
ବନ ବିଦ୍ୟାଳୟ ଏକ ଯନ୍ତ୍ର ।୬।

କାରଖାନା ନାମେ ତିଆରି ହୁଅନ୍ତି
ସୁ ମାନବ ଏହିଠାରେ
ମଣିଷ ଗଠନ ଚରିତ୍ର ସୃଜନ
ଏହି ବକୁଳବନରେ  ।୭।

ମୟୂରଭଞ୍ଜର ଗଜପତି ବୀର
ମହାରାଜା ପୂର୍ଣ୍ଣଚନ୍ଦ୍ର
ଅତି  ଆଦରରେ ମାନପତ୍ର ପରେ
ଲେଖିଲେ ଧାଡିଏ ମାତ୍ର ।୮।

କେବଳ ମଣିଷ ବୋଲି ଲେଖିଥିଲେ
ପବିତ୍ର ମାନ ପତ୍ରରେ
ଗହନ ଭିତରେ  କଳ୍ପନା କରିଲେ
ବୁଝିବେ ଅର୍ଥ  ମର୍ମରେ ।୯।

ଝୁରୁଅଛି ଆଜି ବକୁଳବନଟି
ଝୁରେ ତାର ପତ୍ର ଫୁଲ
ସୁଆଣ୍ଡୋ ଗ୍ରାମଟି  ଘୁମୁରି କାନ୍ଦୁଛି
କେଦେବ ତୁମର ମୂଲ୍ଯ ।୧୦।

ତୁମ  ଅବଦାନେ ସାହିତ୍ୟି ଜଗତ
ହୋଇଅଛି ବିମଣ୍ଡିତ
ହେ ସଫଳ ସ୍ରଷ୍ଟା  କାବ୍ୟ କବିତାରେ
କରିଛ ଭାଷାକୁ ଶ୍ରେଷ୍ଠ  ।୧୧।

କାଳଜୟୀ ଲେଖା  ରୁଦ୍ଧିମନ୍ତ ହେଲା
ଓଡ଼ିଆ ସାହିତ୍ୟ  ପାଇଁ
ସୁବର୍ଣ୍ଣ ଯୁଗଟେ ଆସିଥିଲା  ଧାଇଁ
ରହିଛି  ଅମର ହୋଇ  ।୧୨।

ଆମପାଇଁ କେତେ କାରାବାସ ଗଲ
ରଖିଲ ଜାତିର ମାନ
ଇତିହାସେ ତୁମେ ହୋଇଲ ଅମର
କରୁଛୁ ତୁମେ ପୂଜନ ।୧୩।

କେ ଦେଇ ପାରିବ ସେ ଲେଖନୀ ଦାନ
କେତେ ଯେ ଲାଗେ ଜୀବନ୍ତ
ତୁମ ପୂଣ୍ଯ ତିଥି  ହସୁଥାଉ ସଦା
ହୋଇ ଚିର ଜନାଦୃତ ।୧୪।

ଘେନ ମୋର ପୂଜା ଭକ୍ତି  ଅର୍ଘ୍ୟ ଦୀପ
ହେ ମହାନୁଭବ  ଜ୍ଞାନୀ
ତୁମ ଆଶୀର୍ବାଦ  ଝରୁଥାଉ ସଦା
ମହାନ୍ ଉତ୍କଳମଣି ।୧୫।

ଗାଉଅଛି ଆଜି ପୁର ପଲ୍ଲୀ ଠାରୁ
ସହର ପ୍ରଦେଶ  ଗଳି
ହେ ଅମର ଆତ୍ମା ସ୍ବର୍ଗ ପୁରେ ଥାଇ
ଘେନ  ଆମ ପୁଷ୍ପାଞ୍ଜଳି    ।୧୬।

ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

Post a Comment

0Comments
Post a Comment (0)