
ଏ ସାରା ବିଶ୍ୱରେ ତଵ ସ୍ମୃତି ଭାଷେ
ଅହିଂସାର ମନ୍ତ୍ର ଗାଇ ;
ହେ'ମହାନଆତ୍ମା କାନ୍ଦୁଛିରେ ମାଆ
ଆସହେ'ସ୍ୱର୍ଗୁ ଓହ୍ଲାଇ !!
ଦେଖିବ କିପରି ଅଛିରେ ଭାରତୀ
ଲୁହ ଲହୁ ପିଇ ପିଇ
ଅନ୍ୟାୟ ଅନୀତି ବଢିତ ଗଲାଣି
ଗାନ୍ଧୀ ନୀତି ଆଉ ନାଇଁ !!
ତଵ ମହାମନ୍ତ୍ର ଗ୍ରହଣ ସାପେକ୍ଷ
ବ୍ୟଭିଚାରେ ମନଯୋଗ ;
ବ୍ୟଭିଚାରୀ ହସେ ସତେ ଉପହାସେ
କରିବାକୁ ସୁଖ ଭୋଗ !!
ସ୍ୱପ୍ନ ବିଭୁଷିତ ସୁନାର ଭାରତ
ହରାଇଛି ଆଜି ଆସ୍ଥା ;
ତୁମେ ନାହଁ ବୋଲି ସ୍ୱପ୍ନ ଗଲା ହଜି
ରାଜନୀତି ହେଲା ଶସ୍ତା !!
ହେ'ଭାରତୀ ସୁପୁତ୍ର ସାଜି ଥିଲ ମିତ୍ର
ପ୍ରତିଟି ହୃଦୟେ ପ୍ରାଣେ ;
ଗୋରା ଶାସକଟା ବିତାଡିତ ହେଲା
ତୁମରି କୁହୁକ ଵାଣେ !!
ଅହିଂସା ଶବଦ କେତେଯେ ବଳିଷ୍ଠ
ଜାଣିଛି ଏ ସାରା ବିଶ୍ୱ ;
ଶୂନ୍ୟ ହସ୍ତେ ତୁମେ ଲଢିଲ ସରାଗେ
ନଥିଲା କମାଣ ଅସ୍ତ୍ର !!
ଗୋରା ବଣିକଟା ଛାଡ଼ି ଚାଲିଗଲା
ଜନ ସମୁଦ୍ରକୁ ଦେଖି ;
କାରାଗାର ଘର ଦେବ ନାଇଁ କାମ
ଆପଣା ମହତ ରଖି !!
ବିଦେଶ ମାଟିରେ ଅରଜିଲ ଖ୍ୟାତି
ବର୍ଣ୍ଣବୈଷମ୍ୟ କୁ ଦେଖି ;
ସବୁ ମଣିଷର ସମାନ ରକତ
କହିଥିଲ ଦୁଃଖ ଦେଖି !!
ଜାତିଭେଦ ପ୍ରଥା ଅସ୍ପୃଶ୍ଯେ ବିତୃଷ୍ଣା
ମୋହନ ଜାଗୃତି ଛବି
ଝୁରୁଛି ଭାରତ ହେ'କରମ ଚାନ୍ଦ
ଫେରିଆସ ଆତ୍ମାରବି !!
ଏତେ ତ୍ୟାଗ ପରେ ଏଇ ଭାରତରେ
ଶତୃ ସାଜେ ନାଥୁରାମ ;
ଗୁଳିବିଦ୍ଧକରି ମାରିଲା ସେ ପାପୀ
ବୋଲି ଗଲ ହାୟ ରାମ !!
ତଵ ଆବିର୍ଭାବ ତଵ ତିରୋଧାନ
ଜନମନେ ଉଦ୍ଭାଷିତ ;
ସ୍ମୃ୍ତିରାଜ ଘାଟ ପୁଷ୍ପେ ବିମଣ୍ଡିତ
ଭକତି ବିହୀନ ସତ !!
ପାଳୁଛି ଭାରତ ଜନମ ବିଭବ
ସରାଗେ ପୂଜୁଛି ଛବି ;
କେତେ ତୁମେ ଶାନ୍ତି କୁହ ଆହେ ଗାନ୍ଧୀ
ଚିନ୍ତନରେ ଅଛି କଵି !!
ସଦାନନ୍ଦ ସାହୁ ;
ଧୁରୁଷିଆ ; ଆଠଗଡ଼ ; କଟକ
