
ଅଶୋକଙ୍କ ରାଜତ୍ୱକାଳର ସଠିକ୍ ସନ ଓ ତାରିଖ ନିର୍ଣ୍ଣୟ ଯେଭଳି ଐତିହାସିକମାନଙ୍କ ମଧ୍ୟରେ ବିତର୍କ ଲାଗିରହିଛି, ଠିକ୍ ସେଭଳି ଅଶୋକଙ୍କ ଐତିହାସିକ କଳିଙ୍ଗ ବିଜୟ ପ୍ରଶ୍ନବାଚୀ ହୋଇପଡିଛି । ଏକଥା ସ୍ୱୀକାରଯେ, ଅଶୋକଙ୍କ ରାଜତ୍ୱ କାଳରେ ମୌର୍ଯ୍ୟ ସାମ୍ରାଜ୍ୟ ଶକ୍ତି ଓ ପ୍ରତିପତ୍ତିର ଶୀର୍ଷରେ ପହଞ୍ଚି ପାରିଥିଲା । ଏପରିକି ଏହାର ଖ୍ୟାତି ଭାରତର ସୀମା ବାହାରେ ବହୁଦୂର ପର୍ଯ୍ୟନ୍ତବ୍ୟାପି ଯାଇଥିଲା । ଅଶୋକ ଓ ତାଙ୍କ କାର୍ଯ୍ୟବଳୀକୁ ନେଇ ବହୁ ଲୋକକଥା ସୃଷ୍ଟି ହୋଇଛି, ଯାହାର ସତ୍ୟତା ଏବେ ମଧ୍ୟ ଅନ୍ଧକାର ଭିତରେ ଲୁଚି ରହିଛି । ସେସବୁ ମଧ୍ୟରେ ଅଧିକ ଗୁରୁତ୍ୱ ଲାଭ କରିଥିଲା ଅଶୋକଙ୍କ କଳିଙ୍ଗ ବିଜୟ ଓ ବୌଦ୍ଧଧର୍ମର ପ୍ରଚାର କିଛି କୀର୍ତ୍ତି କାହାଣୀ । ବୌଦ୍ଧଧର୍ମ ସହିତ ଜଡିତ ଉକ୍ତ ଉପଖ୍ୟାନଗୁଡିକ ସମଗ୍ର ଏସିଆମହାଦେଶର ବିଭିନ୍ନ ଦେଶରେ ପ୍ରସାର ଲାଭ କରିଥିଲା ।
ଅଶୋକଙ୍କ ନିର୍ଦ୍ଦେଶିତ ବହୁ ଅନୁଶାସନ ଗୁଡିକରୁ ମୌର୍ଯ୍ୟସମ୍ରାଟଙ୍କ ନାମ 'ଦେବନାଂ ପିୟ ପିୟଦଶି', ଅର୍ଥାତ୍ 'ଦେବଗଣଙ୍କର ପ୍ରିୟରାଜା ପ୍ରିୟଦର୍ଶୀ' ବୋଲି ଉଲ୍ଲେଖ ରହିଥିବା ବେଳେ, କେବଳ ଦୁଇଟି ଅନୁଶାସନରେ ସମ୍ରାଟ ଅଶୋକଙ୍କ ନାମ ଉଲ୍ଲେଖ ରହିଥିବା ଦେଖାଯାଏ । କୁହାଯାଏ ସିହାଂସନ ଆରୋହଣ ପୂର୍ବରୁ ଅଶୋକଙ୍କ ନାମ ପିୟଦଶି ବା ପ୍ରିୟଦର୍ଶୀ ଥିଲା । ସିଂହାସନରେ ଅଭିଷିକ୍ତ ହେବା ପରେ ସେ ଅଶୋକ ଅର୍ଥାତ୍ ନାହିଁ ଶୋକ ଯାହାଙ୍କର ସେ ଅଶୋକ, ଆକ୍ଷରିକ ଅର୍ଥରେ 'ଦୁଃଖ ବେଦନାରୁ ମୁକ୍ତ ଯେ ରହନ୍ତି ।
ବିନ୍ଦୁସାରଙ୍କ ମୃତ୍ୟୁପରେ ତୀବ୍ର ଭାତୃ ବିବାଦର ସମ୍ମୁଖୀନ ହୋଇ ଅଶୋକ ଶେଷରେ ସିଂହାସନ ଆରୋହଣ କରିଥିଲେ । ଏପରିକି ସେ ଭାତୃହତ୍ୟାରେ କଳଙ୍କିତ ହୋଇଥିବାରୁ ତାଙ୍କୁ ଚଣ୍ତାଶୋକ କୁହାଯାଇଥିଲା । ଅଶୋକଙ୍କ ରାଜ୍ୟାଭିଷେକର ବାରବର୍ଷ ପରେ ପର୍ବତ ଉପରେ ଖୋଦନ କରାଯାଇଥିବା କେତେକ ଅନୁଶାସନରେ ସମକାଳୀନ ପାଞ୍ଚଜଣ ରାଜାଙ୍କ ନାମୋଲ୍ଲେଖ ରହିଛି । ଏଥିରୁ ଯାହା ବୁଝା ପଡୁଛି ସେହି ପାଞ୍ଚଜଣ ରାଜା ସେପର୍ଯ୍ୟନ୍ତ ଜୀବିତ ଥିଲେ । ସେ ବର୍ଷ ସମ୍ଭବତଃ ଖ୍ରୀଷ୍ଟପୂର୍ବ 256/255 ଥିବା ଅନୁମାନ କରାଯାଇପାରେ । ତେଣୁ ଅଶୋକଙ୍କ ରାଜତ୍ୱ ଆରମ୍ଭ ହୋଇଥିବା ଖ୍ରୀଷ୍ଟପୂର୍ବ 268 ବୋଲି ଧରାଯାଇ ପାରେ ।
ପୁନଶ୍ଚ ଅଶୋକଙ୍କ ନାମସହ ଜଡିତଥିବା ଏକ କୌତୂହଳ ଉଦ୍ଦୀପକ ଉପଖ୍ୟାନଟିଏ ନିଆଯାଇପାରେ । ବୌଦ୍ଧ ଉପଖ୍ୟାନରେ ଉଲ୍ଲେଖ ଥିବା ଏକ ସୂର୍ଯ୍ୟ ପରାଗକୁ ଦେଖି କେତେକ ପଣ୍ତିତ ନିର୍ଣ୍ଣୟ କରିଛନ୍ତିଯେ, ଅଶୋକଙ୍କ ରାଜତ୍ୱ କାଳରେ ଖ୍ରୀଷ୍ଟ ପୂର୍ବ 249ରେ ଏହା ପ୍ରକୃତରେ ଘଟିଥିଲା । ଫୁନରପି ଅଶୋକଙ୍କ ରାଜତ୍ୱ କାଳର ବିଂଶ ବର୍ଷରେ ପ୍ରଚାରିତ ଅନୁଶାସନରେ ବୁଦ୍ଧଙ୍କ ଜନ୍ମସ୍ଥାନ ପରିଦର୍ଶନରେ ସେ(ଅଶୋକ) ଯାଇଥିବା ଉଲ୍ଲେଖ କରାଯାଇଛି । ଏସବୁ ତଥ୍ୟକୁ ଯଦି ଏକତ୍ର କରି ଅନୁଶୀଳନ କରାଯାଏ ତେବେ ସ୍ପଷ୍ଟ ହେବଯେ ଅଶୋକଙ୍କ ରାଜତ୍ୱ କାଳ ଖ୍ରୀଷ୍ଟପୂର୍ବ 268ରୁ ଆରମ୍ଭ ହୋଇଛି । ସେଭଳି ଆଉକେତେକ ତଥ୍ୟରୁ ମଧ୍ୟ ଏହି ଖ୍ରୀଷ୍ଟପୂର୍ବଟିର ସଠିକ୍ ତା ଥିବାର ପ୍ରମାଣ ମିଳିଛି । କୁହାଯାଇପାରେ ପୁରାଣମାନଙ୍କରେ ରାଜବଂଶାବଳୀ ମାନଙ୍କ କଥା କେତେକାଂଶରେ ପ୍ରଦତ୍ତ ହୋଇଛି, ସେସବୁ ତଥ୍ୟାନୁଯାୟୀ ଯଦି ଗ୍ରହଣ କରାଯାଏ ତେବେ ଅଶୋକ ଖ୍ରୀଷ୍ଟପୂର୍ବ 268ରେ ସିଂହାସନ ଆରୋହଣ କରିଥିବା ଧରିନେବାକୁ ପଡିବ । ଅନ୍ୟ ସବୁ ଦିଗରୁ ବିଚାର କଲେ, ବୌଦ୍ଧ ଶାସ୍ତ୍ରଗୁଡିକରେ ଉଲ୍ଲେଖ ଅଛି, ବୁଦ୍ଧଙ୍କ ମହାପ୍ରୟାଣର 218 ବର୍ଷ ବିତିଯିବା ପରେ ଅଶୋକ ସିଂହାସନ ଆରୋହଣ କରିଥିଲେ । କେତେକ ପଣ୍ତିତ ଏସଂପର୍କରେ ଏକମତ ହୁଅନ୍ତି ଯେ, ବୁଦ୍ଧଦେବଙ୍କ ଦେହତ୍ୟାଗର ବର୍ଷଟିକୁ ଖ୍ରୀଷ୍ଟପୂର୍ବ 486 ହେବା ସମ୍ଭବ କରାଯାଏ । ତେଣୁ ଏହି ପରଂପରାକୁ ଯଦି ଦୃଷ୍ଟିରେ ରଖି ଗ୍ରହଣ କରାଯାଏ, ତେବେ ଅଶୋକଙ୍କ ରାଜତ୍ୱର ପ୍ରାରମ୍ଭ ଭାବରେ ଏହି ବର୍ଷଟିକୁ ଅର୍ଥାତ୍ ଖ୍ରୀଷ୍ଟ ପୂର୍ବ 268 ବୋଲି ନିଆଯାଇପାରେ । ଅନ୍ୟ କେତେକ ପଣ୍ତିତ ଭିନ୍ନ ମତ ସପକ୍ଷରେ କହନ୍ତି, ଅଶୋକ ରାଜସିଂହାସନ ଦଖଲ କରିବା ପରେ ପ୍ରାୟ ଚାରି ବର୍ଷପରେ ଆନୁଷ୍ଠାନିକ ଭାବରେ ରାଜା ରୂପେ ଅଭିଷିକ୍ତ ହୋଇଥିବା ସିଂହଳୀ ଇତିବୃତ୍ତରେ ଉଲ୍ଲେଖ ରହିଛି । ଏହି ତଥ୍ୟାନୁସାରେ ଅଶୋକଙ୍କ ସିଂହାସନ ଆରୋହଣ ଖ୍ରୀଷ୍ଟପୂର୍ବ 265 ବୋଲି ସେମାନେ ନିର୍ଣ୍ଣୟ କରିଛନ୍ତି । ଏସବୁ ଦୃଷ୍ଟିରୁ ମୌର୍ଯ୍ୟ ସାମ୍ରାଜ୍ୟର ଅଶୋକଙ୍କ ସିଂହାସନ ଆରୋହଣର ସଠିକ୍ ତା ସଂପର୍କରେ ଏକ ଜଟିଳ ପ୍ରଶ୍ନବାଚୀ ହୋଇ ରହିଯାଇ ଥିବା ବେଳେ ତାଙ୍କ କଳିଙ୍ଗ ଆକ୍ରମଣ ମଧ୍ୟ ବିଶ୍ୱାସର ବଳୟ ମଧ୍ୟକୁ ଛୁଇଁ ପାରୁନାହିଁ ।
ସୂଚନାଯୋଗ୍ୟଯେ ସମ୍ରାଟ ଅଶୋକଙ୍କ ଅନୁଶାସନଗୁଡିକରେ ଗୋଟିଏ ବଡ ଐତିହାସିକ ଘଟଣା ଉଲ୍ଲେଖ ରହିଛି, ଯାହାକି ବଙ୍ଗୋପସାଗରର ପଶ୍ଚିମ ଉପକୂଳବର୍ତ୍ତୀ ଶକ୍ତିଶାଳୀ କଳିଙ୍ଗ ରାଜ୍ୟ ବିପକ୍ଷରେ ଭୟାବହ ଯୁଦ୍ଧ । ଉକ୍ତ ଅନୁଶାସନରେ ସମ୍ରାଟ ଅଶୋକ ଘୋଷଣା କରିଛନ୍ତିଯେ, କଳିଙ୍ଗ ଯୁଦ୍ଧରେ ଦେଢଲକ୍ଷ ଲକ୍ଷସୈନ ବନ୍ଦୀ ହୋଇଥିବା ବେଳେ ପ୍ରାୟ ଏକଲକ୍ଷରୁ ଅଧିକ ନିହତ ହୋଇଥିଲେ । ଏହାର ସତ୍ୟତା ଉପରେ ପ୍ରଶ୍ନବାଚୀ ? ଅଶୋକଙ୍କ ରାଜ୍ୟାଭିଷେକର ଅଷ୍ଟମ ବର୍ଷରେ ଖ୍ରୀଷ୍ଟପୂର୍ବ 261ରେ ଅବିଜିତ କଳିଙ୍ଗକୁ ଜୟ କରିବାକୁ ଅଭୀସ୍ପା ନେଇ ଆକ୍ରମଣ କରିଥିଲେ । ଇତିହାସ ଏସବୁ କେତେ ସତ୍ୟ କେତେ ମିଛ ତାର କେତୋଟି କାରଣ ମଧ୍ୟ ଦର୍ଶାଇବାକୁ ପଛାଇ ନାହିଁ ।
କୌଟିଲ୍ୟଙ୍କ 'ଅର୍ଥଶାସ୍ତ୍ର'ରେ କୁହାଯାଇଛି କଳିଙ୍ଗ ତୁଳନାରେ ମଗଧର ନୌସେନା ଦୃର୍ବଳ ଥିଲା, ଫଳତଃ କଳିଙ୍ଗର ଅର୍ଥନୈତିକ ସ୍ଥିତି ମଗଧଠାରୁ ବେଶ୍ ସୁଦୃଢ ଥିଲା । କାରଣ କଳିଙ୍ଗ ଉପକୂଳର ଏକମାତ୍ର ରାଜ୍ୟ ହିସାବରେ ସମୁଦ୍ର ପଥଦେଇ ବାଣିଜ୍ୟ କରିବାର ସୁଯୋଗ ଲାଭ କରିଥିବା ବେଳେ ମଗଧ ଏସବୁ ସୁବିଧାରୁ ବଞ୍ଚିତ ହେଉଥିଲା । ମଗଧ ବିଶାଳ ରାଜ୍ୟହୋଇ ମଧ୍ୟ ରପ୍ତାନୀ ନଥିବା ଫଳରେ ଆର୍ଥୀକ ସଙ୍କଟର ସମ୍ମୁଖୀନ ହେଉଥିଲା । ବାଣିଜ୍ୟ କ୍ଷେତ୍ରରେ କଳିଙ୍ଗ ଅଧିକାର କଲେ ଆର୍ଥିକ ସମସ୍ୟାର ସମାଧାନ ଘଟିବା ସହ ମଗଧ ସମୃଦ୍ଧ ହେବାର କାରଣ ନେଇ ଅଶୋକ କଳିଙ୍ଗ ଆକ୍ରମଣ କରିବାକୁ ମନବଳାଇ ଥିଲେ । ଏକ ବିଶାଳ ସାମ୍ରାଜ୍ୟର ଆର୍ଥନୀତିକ ମାଣଦଣ୍ତକୁ କଳିଙ୍ଗ ଭଳି ଏକକ୍ଷୁଦ୍ର ରାଜ୍ୟ ଦୋହଲାଇ ଦେବା ଅଶୋକଙ୍କ ଲାଗି ଅସହ୍ୟ ଥିଲା । ଏପରିକି ତିଦ୍ଦତୀୟ ଲେଖକ ଲାମା ତାରାନାଥଙ୍କ ବର୍ଣ୍ଣନାରୁ ଜଣାଯାଇଛି ଯେ, ନାଗାମାନେ ସମୁଦ୍ରରେ ଅଶୋକଙ୍କ ଆଭୂଷଣ ଧନ ରତ୍ନ ଲୁଟି ନେଉଥିବାରୁ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ଯାଇ ସେ କଳିଙ୍ଗ ଆକ୍ରମଣ କରିଥିଲେ । ଏହି ନାଗାମାନଙ୍କୁ ଐତିହାସିକମାନେ କଳିଙ୍ଗ ନାବିକ/ଦସ୍ୟୁ ବୋଲି ମତ ଦିଅନ୍ତି । ପ୍ରଫେସର୍ ଡି. ଆର. ଭଣ୍ତାରକରଙ୍କ ମତାନୁଯାୟୀ କଳିଙ୍ଗ ଦାକ୍ଷିଣାତ୍ୟରେ ଥିବା ଶକ୍ତିଶାଳୀ ଚୋଳ ରାଷ୍ଟ୍ର ସହିତ ମିଶି ବହୁମାତ୍ରାରେ ଶକ୍ତିଶାଳୀ ହୋଇ ମଗଧ ଆକ୍ରମଣ କରିବାର ପ୍ରଚ୍ଛନ୍ନ ଭୟ ହୁଏତ, ଅଶୋକଙ୍କ ମନକୁ ଆଚ୍ଛାଦିତ କରିଥିବାରୁ ଆତଙ୍କିତ ଅଶୋକ କଳିଙ୍ଗ ଜୟ ପାଇଁ ମନସ୍ଥ କରିଥିଲେ । ଇଚ୍ଛାଥିଲା, ସୀମା ଅବସ୍ଥିତ ଶକ୍ତିଶାଳୀ କଳିଙ୍ଗକୁ ପରାଜିତ କରି ମୌର୍ଯ୍ୟ ସାମ୍ରଜ୍ୟରେ ମିଶାଇ ଦେବେ ।
କେତେକ ଉପାଦାନରୁ ଅଶୋକଙ୍କ କଳିଙ୍ଗ ଯୁଦ୍ଧର ଧର୍ମ ସମମ୍ପର୍କିତ କାରଣ ଥିବା ଦର୍ଶାଯାଇଛି । ଅଶୋକ କଳିଙ୍ଗ ଆକ୍ରମଣ ପୂର୍ବରୁ ବ୍ରାହ୍ମଣ୍ୟ ଧର୍ମ (ଶିବ ଉପାସନା) ଅନୁସରଣ କରୁଥିବାରୁ, କଳିଙ୍ଗରେ ଥିବା ବୌଦ୍ଧ ଓ ଜୈନ ଧର୍ମିମାନଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଇବା ପାଇଁ ଧର୍ମଯୁଦ୍ଧ କରିଥିଲେ । କିନ୍ତୁ, ପ୍ରଶ୍ନ ଉଠେ କଳିଙ୍ଗ ଯୁଦ୍ଧ ପୂର୍ବରୁ ଅଶୋକ ବୌଦ୍ଧ ଧର୍ମରେ ଦୀକ୍ଷିତ ବୋଲି ଦର୍ଶାଯାଇଥିବା ବେଳେ, କେତେକ ଐତିହାସିକ କଳିଙ୍ଗ ଯୁଦ୍ଧପରେ ଏହାର ଭୟବହତା ଦେଖି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିବା ଉଲ୍ଲେଖ କରିଛନ୍ତି । ଏପରିକି ଏହାର ପ୍ରଚାର ଓ ପ୍ରସାରରେ ନିଜକୁ ନିୟୋଜିତ କରି 'ଚଣ୍ତାଶୋକ'ରୁ 'ଧର୍ମାଶୋକରେ ପରିଣତ ହୋଇଥିଲେ । ଏପରିକି ହିଂସାର ତରବାରୀ ଦୂରେଇ ଅହିଂସା ନୀତିରେ ବଳରେ ବିଶ୍ୱବାସୀଙ୍କ ହୃଦୟ ଜିଣି 'ଧର୍ମବିଜୟ'ର ଧ୍ୱଜା ଉଡାଇଥିଲେ ।
କିନ୍ତୁ ବିଭିନ୍ନ ସୂତ୍ରାନୁଯାୟୀ, ଅଶୋକ କଳିଙ୍ଗ ଯୁଦ୍ଧପରେ ରାତାରାତି କେବେ ବୌଦ୍ଧ ସନ୍ନ୍ୟାସୀ ଉପଗୁପ୍ତଙ୍କ ଦ୍ୱାରା ବୌଦ୍ଧ ଧର୍ମରେ ଦୀକ୍ଷିତ ନଥିଲେ । ପିତାଙ୍କ ରାଜସଭାରେ ସେ ବିଭିନ୍ନ ରକ୍ଷଣଶୀଳ ଓ ତଥାକଥିତ ଧର୍ମବିରୋଧୀ କେତେକ ପଣ୍ତିତଙ୍କୁ ଦେଖିବାକୁ ପାଇଥିଲେ । ପରେ ସେ ଏକ ବୌଦ୍ଧସଂଘ ପରିଦର୍ଶନ କରିବାସହ ବୁଦ୍ଧଙ୍କ ମୂଳଶିକ୍ଷାସମୂହକୁ ଗଭୀର ଭାବେ ଅଧ୍ୟୟନ କରି ଉପାସକ ଓ ବୌଦ୍ଧଧର୍ମର ଅନୁଗାମୀ ହୋଇଥିଲେ, ଯାହା କେବଳ କଳିଙ୍ଗ ଯୁଦ୍ଧର ଯଥେଷ୍ଟ ପୂର୍ବରୁ ଘଟିଥିଲା ।
କଳିଙ୍ଗ ଯୁଦ୍ଧର ଅନ୍ୟତମ କାରଣ କାରୁବାକୀ କିମ୍ବଦନ୍ତୀକୁ ନେଇ, ଯାହା ଏବେ ମଧ୍ୟ ଓଡିଶାର ଉପକୂଳବର୍ତ୍ତୀ ଧୀବରମାନଙ୍କ ମଧ୍ୟରେ ପ୍ରଚଳିତ ଅଛି । କିମ୍ବଦନ୍ତୀ ଅନୁସାରେ ଧୀବରମାନଙ୍କ ମୁଖ୍ୟ/ରାଜାଙ୍କ କନ୍ୟା କାରୁବାକୀ ଥିଲେ କଳିଙ୍ଗ ରାଜକୁମାରଙ୍କ ବାଗ୍ଦତ୍ତା । ଛଦ୍ମବେଶରେ କଳିଙ୍ଗ ଭ୍ରମଣରେ ଆସି ଥିବା ଅଶୋକ କାରୁବାକୀଙ୍କ ଅପୂର୍ବ ରୂପ ସୌନ୍ଦର୍ଯ୍ୟରେ ଆସକ୍ତ ହୋଇ ଓ ତାଙ୍କୁ ବିବାହ କରିବାର ପ୍ରବଳ ଇଚ୍ଛାର ପୂରଣ ନିମନ୍ତେ କଳିଙ୍ଗ ଆକ୍ରମଣ କରିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଆଶ୍ଚାର୍ଯ୍ୟ ଲାଗେ ଅଶୋକଙ୍କର ଏଭଳି ଦୃର୍ବଳତା ଓ ଧୀବର ମୁଖ୍ୟ/ରାଜାଙ୍କ କୌଣସି ସ୍ଥାନରେ ନାମଲ୍ଲୋଖ ନାହିଁ । କାରୁବାକୀ କାହାର କନ୍ୟା, ତାର ପିତା ଓ ମାତା କିଏ (?), ଏହା ଏକ କପୋଳକଳ୍ପିତ କାହାଣୀ ବିନା ଅନ୍ୟକିଛି ନୁହେଁ ।
କଳିଙ୍ଗ ଯୁଦ୍ଧର ଏକ ସ୍ୱାଭିମାନର ପ୍ରଶ୍ନ ଉଠେ । କାରଣ ଅଶୋକଙ୍କୁ କଳିଙ୍ଗରେ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡୁଥିଲା । କଳିଙ୍ଗ ପୂର୍ବରୁ ନନ୍ଦ ସାମ୍ରାଜ୍ୟର ଅଂଶ ଥିଲା ଓ ପରେ ସ୍ୱାଧିନତା ଅର୍ଜନ କରିବାରେ ସମର୍ଥ ହୋଇଥିଲା । କଳିଙ୍ଗ ବିଜୟ ଉପଲକ୍ଷେ ଖୋଦିତ ଏକ ବିଶେଷ ଅନୁଶାସନରେ ଅଶୋକ ସ୍ୱୀକାର କରିଛନ୍ତିଯେ, ସାଧାରଣ ଲୋକ ଓ ଅଭିଜାତ ସଂପ୍ରଦାୟ, ଯେଉଁମାନେ ମୌର୍ଯ୍ୟ ଶାସନକୁ ମାନିନେବାକୁ ଅନିଚ୍ଛୁକ, ସେମାନଙ୍କ ବିପକ୍ଷରେ କଠୋର ଶାସ୍ତ୍ରିଦାନ କରାଯାଇଛି । ତେଣୁ ଅନେକ ଐତିହାସିକଙ୍କ ମତରେ କଳିଙ୍ଗ ଯୁଦ୍ଧ ଅଶୋକଙ୍କୁ ଐକ୍ୟବୋଧ ଏକ ସାମ୍ରାଜ୍ୟ ପ୍ରତିଷ୍ଠା ଉଦ୍ଦେଶ୍ୟରେ ପରିଚାଳିତ ହୋଇଥିଲା । ଅଶୋକ ସେତେବେଳେ ସ୍ୱପ୍ନାଦର୍ଶୀ ପାଲଟି ଯାଇଥିବା ଐତିହାସିକ ମାନେ ମତବ୍ୟକ୍ତ କରି ଦର୍ଶାଇଛନ୍ତି ଯେ ସେ ନିଜର ପ୍ରତିପତ୍ତି ଓ କ୍ଷମତା ବିସ୍ତାର କରିବା ତଥା ତାକୁ ଦୃଢ କରିବାର ସକଳ ଇଚ୍ଛାକୁ ପରିହାର କରିଥିଲେ । କିନ୍ତୁ, ଅଶୋକ ପ୍ରକୃତରେ ଏଥିରୁ ଦୂରେଇ ନଥିଲେ, ବରଂ ନିଜ ନୀତିରେ ସାମାନ୍ୟତମ ପରିବର୍ତ୍ତନ୍ନ ଆଣି ନିଜ କ୍ଷମତା ବିସ୍ତାରକୁ ମନରେ ଚାପିରଖି ଯେଉଁଠି ପ୍ରୟୋଜନ ସେଠି ଶକ୍ତି ପ୍ରୟୋଗକରି ବୈଦେଶିକ ନୀତି କ୍ଷେତ୍ରରେ କୂଟନୈତିକ ହତିଆରର ପ୍ରୟୋଗ କରିଥିଲେ । ଫଳତଃ ମୌର୍ଯ୍ୟ ଯୁଗରେ ନୂତନ ଧ୍ୟାନଧାରଣାର ଉଦ୍ଭବ ସଂପର୍କରେ ମଗଧର ରାଜା ବିମ୍ବିସାର ଓ ସମ୍ରାଟ ଅଶୋକଙ୍କ ଉପାଧି ଗୁଣ ବର୍ଣ୍ଣାନାରୁ ଜଣାଯାଏ, ପ୍ରଥମୋକ୍ତ ରାଜାଙ୍କୁ 'ପ୍ରଦେଶାଧିପତି' ବୋଲି ଉଲ୍ଲେଖ କରାଯାଇଥିବା ବେଳେ ଅଶୋକଙ୍କୁ 'ଜମ୍ବୁଦୀପ' ଅର୍ଥାତ୍ ସମଗ୍ର ଭାରତର 'ସର୍ବଶକ୍ତିମାନ ଅଧୀଶ୍ୱର' ବୋଲି ବର୍ଣ୍ଣନା କରାଯାଇଛି ।
ପ୍ରକୃତରେ ଇତିହାସର ଏସବୁ ତଥ୍ୟ କେତେ ଅମୂଳ ବା ଯୁକ୍ତିସଙ୍ଗତ, ଅତିରଞ୍ଜନ ବା ବାସ୍ତବ ସତ୍ୟତାର ଆଖି ଠାର ତାହା କେବଳ ଗବେଷଣା ସାପେକ୍ଷ । ଅଶୋକଙ୍କ କଳିଙ୍ଗ ଯୁଦ୍ଧର ସତ୍ୟତା, ତାଙ୍କର ଅନେଶତ ସାବତ ଭାତୃହତ୍ୟା ଓ ମୌର୍ଯ୍ୟ ବଂଶର ସମସ୍ତ ପୁରୁଷ ଓ ଶିଶୁପୁତ୍ରଙ୍କୁ ହତ୍ୟା କରିଥିବା, ଏପରିକି ବିମ୍ବିସାରଙ୍କ ମୃତ୍ୟୁ ପଛରେ ଅଶୋକଙ୍କ ହାତ ଥିବା ଅର୍ଥ ସେ ନିଜ ପିତାଙ୍କୁ ବିଷ ଦେଇ ହତ୍ୟା କରି ସିଂହାସନ ଆରୋହଣ କରିବାର ଗୃଢ ରହସ୍ୟ, ଗୃହ ଅର୍ନ୍ତଃଯୁଦ୍ଧ ଲାଗି ଚାରିବର୍ଷ ପରେ ରାଜପଦରେ ଅଭିଷିକ୍ତ ହେବା, ଅଶୋକଙ୍କ ମାତା ଶୁଭଦ୍ରାଙ୍ଗୀ ନୀଚ 'ଆଜୀବକ' ସଂପ୍ରଦାୟର ହୋଇଥିବାରୁ ଅଶୋକଙ୍କ ସମ୍ରାଟ ହେବା ଅସମ୍ଭବ ହୋଇପଡିବା, କଳିଙ୍ଗ ଯୁଦ୍ଧରେ କଳିଙ୍ଗବାସୀଙ୍କ ତାଙ୍କ ପ୍ରତି ପ୍ରତିକ୍ରିୟା କଣ ଜାଣିବା ଉଦ୍ଦେଶ୍ୟରେ ଛଦ୍ମବେଶର ରାତ୍ର ଭ୍ରମଣ କରି ଜନୈକ ବିଧବା ବୃଦ୍ଧାଙ୍କ ଠାରୁ- 'ଯେ ଜୀବନ ନେଇ ପାରେ, କିନ୍ତୁ ଜୀବନ ଦେଇ ପାରେ ନାହିଁ, ମୋ ଭେଣ୍ଡା ପୁତ୍ରର ଜୀବନ ଫେରାଇ ଦେଇ ପାରିବ (?)', ଏଇ ପଦୁଟିଏ କଥାରେ ଅଶୋକଙ୍କ ହୃଦୟରେ ଦେଖାଦେଇଥିବା ପରିବର୍ତ୍ତନ୍ନ କେତେ ଦୂର ସତ୍ୟ ତାହା ଭାବି ଗବେଷକହିଁ ନିର୍ଣ୍ଣୟ କରିବେ । ତା'ସତ୍ତ୍ୱେ ଅଶୋକଙ୍କ ମହାନ୍ ଆଦର୍ଶର ନୀତି କଳିଙ୍ଗ ଅନୁଶାସନରେ ଉଲ୍ଲେଖ ଥିବା -
"ସମସ୍ତ ମନୁଷ୍ୟମାନେ ମୋର ସନ୍ତାନ ସଦୃଶ । ମୁଁ ମୋର ନିଜ ସନ୍ତାନ ସନ୍ତତିଙ୍କ ପାଇଁ ଇହଲୋକ ଓ ପରଲୋକରେ ଯେମିତି ସୁଖ କାମନା କରେ, ତାହା ମୁଁ ସମସ୍ତ ମନୁଷ୍ୟମାନଙ୍କ ପାଇଁ କାମନା କରେ ।"
ସତରେ, ନିଆଁ ନଥାଇ ଧୂଆଁ ଉଠିଛି କି (?), କଳିଙ୍ଗ ଓ କଳିଙ୍ଗଯୁଦ୍ଧ ସମ୍ପର୍କରେ ଯାହା କିଛି ତଥ୍ୟ ଦିଆଯାଇଛି ହୁଏତ ତାହା ଅତିରଞ୍ଜିତ ଓ କିଛି କପୋଳକଳ୍ପିତ ହୋଇପାରେ, କିନ୍ତୁ ସମ୍ଫୂର୍ଣ୍ଣ ମିଥ୍ୟା ନହୋଇପାରେ । ଯାହା କେବଳ ଅଶୋକଙ୍କ ପ୍ରତି ନୁହେଁ, ଶକ୍ତିଶାଳୀ ସ୍ୱାଭିମାନୀ କଳିଙ୍ଗ (ବର୍ତ୍ତମାନର ଓଡିଶା)କୁ ଆଘାତ କରେ !!!
ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : 9437740280
